ଆଇପିଏଲ୍‌: ବାଙ୍ଗାଲୋର ଠାରୁ ମ୍ୟାଚ ହାରିବାର କାରଣ କହିଲେ କେଏଲ୍ ରାହୁଲ

କୋଲକାତା,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ୨୦୨୨ର ଏଲିମିନେଟର ମୁକାବିଲାରେ ବୁଧବାର ଲଖନଉ ସୁପର ଜ୍ୟାଣ୍ଟସ୍‌କୁ ରୟାଲ ଚ୍ୟାଲେଞ୍ଜଓ ବାଙ୍ଗାଲୋର ୧୪ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ କଡ଼ା ମୁକାବିଲା ହୋଇଥିଲା। ପରାଜୟ ପରେ ଲଖନଉ ଅଧିନାୟକ କେଏଲ ରାହୁଲ ବହୁତ ନିରାଶ ଦେଖାଇଥିଲେ। ସେ ମ୍ୟାଚ୍‌ ହାରିବାର କାରଣ କହିଛନ୍ତି।

ମ୍ୟାଚ ଶେଷ ହେବା ପରେ କେଏଲ ରାହୁଲ କହିଛନ୍ତି ଯେ, ଲଖନଉ ଟିମ୍‌ର ଫିଲ୍ଡିଂ ଖରାପ ଥିଲା। ମୁଁ ଜାଣିଛି ଯେ, କେଉଁ କାରଣରୁ ଆମେ ମ୍ୟାଚ ଜିତିପାରିଲୁ ନାହିଁ। ଆମେ ପଡ଼ିଆକୁ ଓହ୍ଲାଇଥିଲୁ। କିନ୍ତୁ ଅତି ସାଧାରଣ କ୍ୟାଚ ଛାଡ଼ି ଦେଇଥିଲୁ। ଫଳରେ ରଜତ ପାଟିଦାର ବଡ଼ ଇନିଂସ ଖେଳିଥିଲେ। କେଏଲ୍ ରାହୁଲ କହିଛନ୍ତି ଯେ, ଆଗଧାଡ଼ିର ପ୍ରଥମ ୩ ଜଣଙ୍କ ମଧ୍ୟରୁ ଯଦି କେହି ଜଣେ ଶତକ ହାସଲ କରନ୍ତି, ତା’ହେଲେ ଟିମ୍ ମ୍ୟାଚ ଜିତିବାରେ ସହଜ ହୋଇଥାଏ।

ଯୁବ ଅଧିନାୟକ ରାହୁଲ କହିଛନ୍ତି ଯେ, ବାସ୍ତବରେ ବାଙ୍ଗାଲୋରର ଖେଳାଳିମାନେ ବହୁତ ଭଲ ଫିଲ୍ଡିଂ କଲେ, ଯାହାକି ଆମେ କରିପାରି ନଥିଲୁ। ଆମେ ବହୁତ ଭୁଲ କରିଥିଲୁ। ଅନ୍ୟ ଟିମ୍‌ମାନେ ମଧ୍ୟ ଏଭଳି କରିଥାନ୍ତି, ଯେଉଁଥି ପାଇଁ ମ୍ୟାଚ ହାରିବାକୁ ପଡ଼ିଥାଏ। ଆହୁରି ଶକ୍ତିଶାଳୀ ହେବା ପାଇଁ ଆମକୁ ଉଦ୍ୟମ କରିବାକୁ ପଡ଼ିବ। ଏହା ଏକ ଯୁବ ଟିମ୍। ସେମାନେ ଭୁଲରୁ ଶିଖିବେ। ଘରକୁ ଯାଇ ଭଲ ଖେଳାଳି ହେବାକୁ ପ୍ରୟାସ କରିବେ।

କୋଲକାତାର ଇଡେନ୍ ଗାର୍ଡେନରେ ବୁଧବାର ଖେଳାଯାଇଥିବା ଏହି ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୪ୱିକେଟ୍ ବିନିମୟରେ ୨୦୭ ରନ୍ କରିଥିଲା। ଜବାବରେ ଲଖନଉ ୬ଟି ୱିକେଟ୍ ହରାଇ ୧୯୩ ରନ୍‌ରେ ଅଟକି ଯାଇଥିଲା।