ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣାଧୀନ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସଂପର୍କୀୟଙ୍କୁ ସଠିକ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏଥିସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି କି ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି। ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି। ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂକ୍ରମଣ କମିବା ମଧ୍ୟ ଆରମ୍ଭ କରିଛି। ରାଜ୍ୟରେ ପଜିଟିଭ ହାର ମଧ୍ୟ କମିଛି। ଏ ସବୁ ପାଇଁ ଲକଡାଉନ ଓ ଲୋକଙ୍କ ମଧ୍ୟରେ ସଚେତନତାକୁ ମୁଖ୍ୟମନ୍ତ୍ରୀ ଶ୍ରେୟ ଦେଇଥିଲେ। ଏଥିସହିତ ରାଜ୍ୟରେ କୋଭିଡ ଲକଡାଉନକୁ ଆଉ ୨ ସପ୍ତାହ ବୃଦ୍ଧି କରାଯାଇଛି।

ଲୋକଙ୍କ ସହଯୋଗ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ଯଦି ସମସ୍ତେ କୋଭିଡ ନିୟମ ମାନି ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲିବା ବନ୍ଦ କରିଦେବା, ତେବେ ଆମେ ନିଶ୍ଚୟ ଏହି ଲଢେଇ ଜିତିପାରିବା।

ଏହି ପରିପ୍ରେକ୍ଷୀରେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ରାଜ୍ୟରେ ଲକଡାଉନ ଓ ବିଭିନ୍ନ କୋଭିଡ଼ ଗାଇଡଲାଇନର ଅନୁପାଳନ ପାଇଁ ପୁଲିସର ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଓଡିଶାରୁ ଅନ୍ୟ ରାଜ୍ୟକୁ ବର୍ତ୍ତମାନ ସୁଦ୍ଧା ୮୬୮ଟି ଟ୍ୟାଙ୍କର ଜରିଆରେ ୧୫୯୧୨ ମେଟ୍ରିକ ଟନ୍‌ ଅକ୍‌ସିଜେନ ପଠାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଶ୍ରୀ ଏମ୍‌. ଅକ୍ଷୟ କହିଥିଲେ ଯେ ଅଗ୍ନି ସୁରକ୍ଷା ପାଇଁ ୬୨ଟି କୋଭିଡ ହସ୍‌ପିଟାଲରେ ଅଗ୍ନିଶମ ସେବା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଏଥିସହିତ ବୈଠକରେ ଝାରସୁଗୁଡା ଓ ସୁନ୍ଦରଗଡ଼ ଜିଲ୍ଲାର ଅବଜରଭର ନିକୁଞ୍ଜ ବିହାରି ଧଳ, କଳାହାଣ୍ଡି-ନୂଆପଡାର ଅବଜରଭର ସତ୍ୟବ୍ରତ ସାହୁ, ଅନୁଗୁଳ-ଢେଙ୍କାନାଳର ଅବଜରଭର ବିଷ୍ଣୁପଦ ସେଠୀ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜର ଜିଲ୍ଲାପାଳ, କଟକ ଓ ଭୁବନେଶ୍ୱର ମୁନିସିପାଲ କମିସନର ମାନେ ସେମାନଙ୍କ ଜିଲ୍ଲାରେ କୋଭିଡ ପରିଚାଳନା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ।