ମିଶନ ଶକ୍ତି ମହିଳାଙ୍କ ପାଇଁ ୪୫୩.୫୦ କୋଟିର କୋଭିଡ ପ୍ୟାକେଜ

  • ଭୁବନେଶ୍ୱର: ମିଶନ୍ ଶକ୍ତି ମହିଳାଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ୍ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୩୩୮ ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ୱ ଘର ‘ମିଶନ ଶକ୍ତି ଭବନ’ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏଁ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବ। ଏଥିସହ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଋଣ ଉପରେ ସୁଧ ଫେରସ୍ତ ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ।
    ମିଶନ ଶକ୍ତି ମହିଳାଙ୍କ ପାଇଁ ପ୍ୟାକେଜ ଘୋଷଣା କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଶନ ଶକ୍ତି ହେଉଛି ଓଡ଼ିଶାର ୭୦ ଲକ୍ଷ ମା’ମାନଙ୍କ ଏକ ବିରାଟ ଅନୁଷ୍ଠାନ। ଏହା ଓଡ଼ିଶାର ବିକାଶ ବାହିନୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେମାନଙ୍କ ଦକ୍ଷତା ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ଆପଣମାନେ(ମହିଳା) ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥୀରେ ଅଛି।’
    ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘କୋଭିଡ୍ ସମୟରେ ମିଶନ ଶକ୍ତିର ମା’ମାନେ ବହୁତ ଭଲ କାମ କରିଛନ୍ତି। ବ୍ଲକସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଯେଉଁ ମିଶନ ଶକ୍ତି ଭବନ ଗଠନ ହେବ, ସେଥିରେ ମା’ମାନେ ତାଲିମ ପାଇବେ। ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲିପାରିବେ। ସେମାନଙ୍କ ନିଜସ୍ୱ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ।’