ସରକାରଙ୍କ ସହ ଆଲୋଚନା ନହେବା ପର୍ଯ୍ୟନ୍ତ ଗଡ଼ିବନି ବସ

  • ଭୁବନେଶ୍ୱର: କରୋନାର ପ୍ରକୋପ କମିବା ପରେ ସରକାର ସମଗ୍ର ରାଜ୍ୟରେ ବସ୍ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି। ହେଲେ ଓଡ଼ିଶା ବସ୍ ଆସୋସିଏସନ କହିଛି, ବର୍ତ୍ତମାନ ବସ ଗଡ଼ିବା ସ୍ଥିତିରେ ନାହିଁ। ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେଲା ପର୍ଯ୍ୟନ୍ତ ବସ୍ ଗଡ଼ିପାରିବ ନାହିଁ। ୭ଦଫା ଦାବି ଉପସ୍ଥାପନ କରି ଓଡ଼ିଶା ବସ୍ ଆସୋସିଏସନ ଶୁକ୍ରବାର ଏପରି ଚେତାବନୀ ଦେଇଛି।
    ମହାମାରୀ ଯୋଗୁଁ ସମଗ୍ର ରାଜ୍ୟରେ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ କେଉଁଠି ବସଗୁଡ଼ିକ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଛି ତ ଆଉ କେଉଁଠି ବସ ଉପରେ ଲତା ମାଡ଼ି ଗଲାଣି। ୧୮ ମାସ ଧରି ବସଗୁଡ଼ିକ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବାରୁ ଗଡ଼ିବା ସ୍ଥିତିରେ ନାହିଁ। ଯାହାକୁ ନେଇ ବସ୍ ମାଲିକମାନେ ଚିନ୍ତା ପ୍ରକଟ କରିଛନ୍ତି।
    ଘରୋଇ ବସ୍ ମାଲିକ ସଂଘର କହିବା କଥା, ରାଜ୍ୟ ସରକାରଙ୍କ ସହିତ ଆଲୋଚନା ନହେବା ଯାଏଁ ବସ୍ ଗଡ଼ିବନି। ୧ ଲକ୍ଷ ଟଙ୍କା ସହାୟତା ରାଶି, ବୀମା ଅବଧି ବୃଦ୍ଧି, ଇଏମ୍ଆଇ ଘୁଞ୍ଚାଇବା ଆଦି ୭ ଦଫା ଦାବି ଉଠାଇ ବସ୍ ନଚଳାଇବାକୁ ନିଷ୍ପତ୍ତି ନେଇଛି ସଂଘ। କାରଣ ୧୮ ମାସ ଧରି ବନ୍ଦ ହୋଇପଡି ରହିଥିବା ବସ ଚାଲିବା ଅବସ୍ଥାରେ ନାହିଁ। ଏଭଳି ସ୍ଥିତିରେ ଡିଜେଲ ଦର ବୃଦ୍ଧି ପାଇଥିବାବେଳେ ଯାତ୍ରୀ ମଧ୍ୟ ଆସୁନାହାନ୍ତି। ତେଣୁ କିଭଳିଭାବେ ସମ୍ପୂର୍ଣ୍ଣ ବସ୍ ଚଳାଚଳ କରିବ ବୋଲି ଓଡ଼ିଶା ବସ୍ ଆସୋସିଏସନ୍ ପ୍ରଶ୍ନ ଉଠାଇବା ସହ ବସ୍ ସେବା ସ୍ୱାଭାବିକ ହେବାକୁ କିଛିଦିନ ଲାଗିବ ବୋଲି କହିଛି।