ଆଜି ଦେଶରେ ୨୧ ହଜାର ପାର୍‌ କୋଭିଡ ସଂକ୍ରମଣ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଦୈନିକ ସଂକ୍ରମଣ ମାମଲା ୨୧ ହଜାର ଅତିକ୍ରମ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ ୨୧,୫୬୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ୧୮,୨୯୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୪,୩୧,୫୦,୪୩୪କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟାରେ ମୋଟ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ସକ୍ରିୟ ମାମଲା ପାଖାପାଖି ଦେଢ ଲକ୍ଷ ରହିଛି। ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୪୮,୮୮୧କୁ ବୃଦ୍ଧି ପାଇଛି। ଦେଶର ଦୈନିକ ପଜିଟିଭ ରେଟ୍ ୪.୨୫%ରେ ପହଞ୍ଚିଛି। ଏବେସୁଦ୍ଧା ସମୁଦାୟ ୫,୨୫,୮୭୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଦେଶବ୍ୟାପୀ ମୋଟ ୨୦୦ କୋଟିରୁ ଅଧିକ ଡୋଜ୍ ଟିକାକରଣ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୨୯,୧୨,୮୫୫ ଜଣଙ୍କୁ ଟିକା ଦିଆଯାଇଛି।