ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଲାଗୁନି ରୋକ୍‌, ଆଜି ଆଉ ୧୯ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ତୃତୀୟ ଲହରରେ କ୍ରମାଗତ ଭାବରେ ଦୈନିକ ସଂକ୍ରମଣ ହ୍ରାସ ପାଇ ଚାଲିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ରୋକ୍‌ ଲାଗି ପାରୁନାହିଁ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯ ଜଣ କରୋନାରେ ମୃତ୍ୟୁ ବରଣ କରିଛନ୍ତି।

ଦୈନିକ ସଂକ୍ରମଣ ପରି ଖୋର୍ଦ୍ଧାରୁ ମଧ୍ୟ ଆଜି ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପଛକୁ ଗଞ୍ଜାମରୁ ୩ ଜଣ, ଅନୁଗୁଳ ଏବଂ ନବରଙ୍ଗପୁରରୁ ୨ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ସେହିଭଳି ଢେଙ୍କାନାଳ, କଟକ, ଭଦ୍ରକ, ଯାଜପୁର, କେଉଁଝର, ମୟୁରଭଞ୍ଜ ଏବଂ ପୁରୀରୁ ଜଣିଏ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ଏଥି ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୫୯୪କୁ ବୃଦ୍ଧି ପାଇଛି।

ରାଜ୍ୟରେ ଦୈନିକ ସଂକ୍ରମଣ ଲଗାତାର ହ୍ରାସ ପାଉଥିବା ବେଳେ ଆଜି ୪ ହଜାର ୮୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୬୩ ଜଣ ରହିଛନ୍ତି। ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨୪୫୯୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୮୪୧୭୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି ରାଜ୍ୟରେ ଏବେ ୫୩ ହଜାର ୯୦ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି।