ରାଜଧାନୀରେ ଶତକ ମୁହାଁ ଦୈନିକ ସଂକ୍ରମଣ, ପଟିଆରୁ ସର୍ବାଧିକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଗତ ୨୪ ଘଣ୍ଟାରେ ୮୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଚଳିତ ସପ୍ତାହକର ରିପୋର୍ଟକୁ ଦୃଷ୍ଟିକୁ ନେଲେ କରୋନା ସଂକ୍ରମଣ ଧୀରେ ଧରେ ମାଡ଼ିଚାଲିଛି । ଏବେ ଦୈନିକ ସଂକ୍ରମଣ ଶତକମୁହାଁ ହୋଇଛି । ଗତ ୨୮ତାରିଖରେ ୬୩ ଜଣ ଚିହ୍ନଟ ହୋଇଥିବାବେଳେ ୨୯ରେ ୫୮ ଓ ୩୦ରେ ୬୯ ଜଣ ଚିହ୍ନଟ ହୋଇଥିଲେ ।

ଗତକାଲି ଅର୍ଥାତ ଶୁକ୍ରବାର ୭୦ ଜଣ ଏବଂ ଶନିବାର ମିଳିଥିବା ସୂଚନାନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି । ତେବେ ସହରରୁ ଚିହ୍ନଟ ହେଉଥିବା ସମସ୍ତ ସଂକ୍ରମିତ ସ୍ଥାନୀୟ ମାମଲା ରହୁଥିବାରୁ ଏହା ଗୋଷ୍ଠୀ ସଂକ୍ରମଣର ଆଶଙ୍କା ବଢ଼ାଉଛି । ତେବେ ଶନିବାର ବିଏମ୍‌ସି ପକ୍ଷରୁ ହସ୍ତଗତ ହୋଇଥିବା ସୂଚନା ମୁତାବକ ଗତ ୨୪ଘଣ୍ଟା ମଧ୍ୟରେ ପଟିଆରୁ ସର୍ବାଧିକ ୬ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଡୁମୁଡ଼ୁମାରୁ ୭ଜଣ, ଖଣ୍ଡଗିରିରୁ ୬ ଜଣ, ନୟାପଲ୍ଲୀ ଓ ପୋଖରୀପୁଟରୁ ୫ ଜଣ ଲେଖାଏଁ, ବରମୁଣ୍ଡାରୁ ୪ ଜଣ, ଚନ୍ଦ୍ରଶେଖରପୁରରୁ ୪ ଜଣ, ୟୁନିଟ୍‌-୪, ୟୁନିଟ୍‌-୬, ନିଳାଦ୍ରୀ ବିହାର ଓ ଲକ୍ଷ୍ମୀ ସାଗରରୁ ୩ଜଣ ଲେଖାଏଁ, ସୁନ୍ଦରପଦା, ମଞ୍ଚେଶ୍ୱର, ପଳାଶୁଣି, କୋଳଥିଆ, ଝାରପଡ଼ା ଓ ଜୟଦେବ ବିହାର ଅଞ୍ଚଳରୁ ୨ ଜଣ ଲେଖାଏଁ, ଆଚାର୍ଯ୍ୟ ବିହାର, ଭରତପୁର, ଭୀମଟାଙ୍ଗୀ, ବମିଖାଲ, ଘାଟିକିଆ, ଜାଗମରା, ନହରକଣ୍ଟା, ପୁରୁଣା ଭୁବନେଶ୍ୱର, ସହିଦ ନଗର, ଟଙ୍କପାଣିରୋଡ଼ ଓ ୟୁନିଟ୍‌-୮ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ସହରରୁ ମୋଟ୍ ୬୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧ଲକ୍ଷ ୫୫ ହଜାର ୮୬୭ରେ ପହଞ୍ଚିଛି । ତେବେ ଏବେ ମଧ୍ୟ ୩୨୩ଟି ସକ୍ରିୟ ମାମଲା ରହିଛି । ଯଦିଓ ମୃତ୍ୟୁ ସଂଖ୍ୟା ୧୧୯୩ରେ ସ୍ଥିର ରହିଛି କିନ୍ତୁ ଏପର୍ଯ୍ୟନ୍ତ ମୋଟ୍ ୧ଲକ୍ଷ ୫୭ ହଜାର ୪୦୪ଟି ମାମଲା ଚିହ୍ନଟ ହୋଇସାରିଛି ।