ରୋମ୍,ଏଜେନ୍ସି : ଇଟାଲୀରେ କରୋନା ସଂକ୍ରମଣ ହେବା ପରଠାରୁ ଅଦ୍ୟାବଧି ପ୍ରାୟ ୧୫୦ ଡାକ୍ତର ପ୍ରାଣ ହରାଇଥିବା ଜଣାପଡ଼ିଛି। ଶୁକ୍ରବାର ଇଟାଲୀ ଡାକ୍ତରଙ୍କ ମହାସଂଘ ଏହି ସୂଚନା ପ୍ରଦାନ କରିଛି। କରୋନା ସଂକ୍ରମିତଙ୍କ ସେବାରେ ନିୟୋଜିତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ଉକ୍ତ ମହାମାରୀରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି।
ଇଟାଲୀ ଡାକ୍ତରଙ୍କ ମହାସଂଘ ସୂଚନାନୁଯାୟୀ, କରୋନା ସଂକ୍ରମିତଙ୍କ ସେବାରେ ନିୟୋଜିତ ଡାକ୍ତରଙ୍କ ମଧ୍ୟରୁ ପ୍ରାୟ ୧୦% ରୋଗୀଙ୍କ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ଏଭଳି ଦୁର୍ଦ୍ଦଶା ପାଇଁ ଇଟାଲୀର ଅନ୍ୟ ଏକ ସ୍ୱାସ୍ଥ୍ୟ ମହାସଂଘ ଦେଶର ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଦାୟୀ କରିଛି।
ସମ୍ପୃକ୍ତ ମହାସଂଘ କହିଛି, ଦେଶର ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ଇଟାଲୀ ସରକାର ୨,୭୦୦ କୋଟି ଡଲାର ମଞ୍ଜୁର କରିଛନ୍ତି। ତେବେ ସେତିକି ପରିମାଣର ସହାୟତା ଦେଶର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ଯଥେଷ୍ଟ ନୁହେଁ। ଗତ ଫେବୃଆରୀ ଓ ମାର୍ଚ୍ଚ ମାସରେ ଡାକ୍ତରଖାନାକୁ ରୋଗୀଙ୍କ ସୁନାମି ମାଡ଼ି ଆସିବା ଫଳରେ ସରକାରଙ୍କ ଦୁର୍ବଳ ସ୍ୱାସ୍ଥ୍ୟସେବା ତା’ର ଗତିରୋଧ କରିପାରିଲାନି। ପରିଣାମ ସ୍ୱରୂପ ସରକାରଙ୍କୁ ବହୁ ସଂଖ୍ୟକ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ହରାଇବାକୁ ପଡ଼ୁଛି। ସୂଚନାଯୋଗ୍ୟ, ଇଟାଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୩ ହଜାରକୁ ଅତିକ୍ରମ କରିଛି। ଅଦ୍ୟାବଧି ୨୫ ହଜାର ୯୬୯ ରୋଗୀ ପ୍ରାଣ ହରାଇଥିଲା ବେଳେ ୨,୧୭୩ ଜଣ ସାଂଘାତିକ ଅବସ୍ଥାରେ ଅଛନ୍ତି। ଇତିମଧ୍ୟରେ ୬୦ ହଜାର ୫୦୦ ଜଣ ଆକ୍ରାନ୍ତ ସୁସ୍ଥ ଲାଭ କରିଛନ୍ତି।