ଜାନୁଆରୀ ସୁଦ୍ଧା ଟୀକାକରଣ ଆରମ୍ଭ ଆଶା: ମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ମାଗଣା କରୋନା ଟିକା ମିଳିବ। ଜାନୁଆରୀ ମାସ ଶେଷ ସୁଦ୍ଧା ଟିକା ଆସିବାକୁ ଥିବାବେଳେ ରାଜ୍ୟ ସରକାର ଟିକାକରଣ ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ଗାଇଡଲାଇନ ଅନୁସାରେ ଟିକା ମିଳିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ  ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ଦାସଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟର କରୋନା ଯୋଦ୍ଧାଙ୍କୁ ରାଜ୍ୟ ସରକାର ମାଗଣାରେ ଟିକା ଯୋଗାଇଦେବେ। ୩ଟି ପର୍ଯ୍ୟାୟରେ ଯୋଦ୍ଧାଙ୍କୁ ଏହି ଟିକା ମିଳିବ। ପ୍ରଥମେ କରୋନା ଯୋଦ୍ଧା ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ମାଗଣାରେ ଟିକା ଦିଆଯିବ।

 ଦ୍ୱିତୀୟ ପର୍ଯ୍ୟାୟରେ କରୋନା ରୋଗୀଙ୍କୁ ଟିକା ମିଳିବା ସହ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ମାଗଣାରେ ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ସେହିପରି ତୃତୀୟ ତଥା ଶେଷ ପର୍ଯ୍ୟାୟ ସାଧାରଣଲୋକଙ୍କୁ ଟିକା ମିଳିବ। ଟିକାକରଣ ପାଇଁ ରାଜ୍ୟ ସରକାର ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯାଉଥିବାବେଳେ ଏନେଇ ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତି ସରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୨୦ହଜାର ଲୋକଙ୍କୁ ଟିକା ଦିଆଯିବା ନେଇ ଚିହ୍ନଟ କରାଯାଇଥିବାବେଳେ ଟୀକାରଣ ପାଇଁ ୨ଲକ୍ଷ ୯ହଜାର ୨୭୬ ସ୍ଥାନ ନିରୁପଣ କରାଯାଇଛି ଓ ୮୨୭୬ ଟୀକା କର୍ମୀଙ୍କୁ ଟୀକାକରଣ ପାଇଁ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି।