କୋଭିଡ୍ କେୟାର କେନ୍ଦ୍ରରୁ ରୋଗୀ ଉଭାନ

ଅନୁଗୁଳ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ସଦର ମହକୁମାରେ ଥିବା ଅଦର୍ଶ କୋଭିଡ଼ କେୟାର ସେଣ୍ଟରୁ ଜଣେ ରୋଗୀ ଉଭାନ ହେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଯୋଗ୍ୟ ଯେ, ଗତ ୩୦ ତାରିଖ ଦିନ ଛେଣ୍ଡିପଦା ବ୍ଲକ ପରା ଗାଁର ଗୋବିନ୍ଦ ପ୍ରଧାନ(୬୫)ଙ୍କ ଛାତି ଯନ୍ତ୍ରଣା ହେବାରୁ ତାଙ୍କୁ ପୁଅ ଯୁଗଳ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ପରୀକ୍ଷା କରିବା ପରେ ସେ କୋଭିଡ୍ ପଜିଟିଭ ଅଛନ୍ତି। ଏଣୁ ତାଙ୍କୁ ନିକଟସ୍ଥ ଆଦର୍ଶ କୋଭିଡ କେୟା କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ପରଦିନ ବାପାଙ୍କ ପାଖକୁ ଚପଲ ଓ ଏକ ମୋବାଇଲ ନେଇ ଯୁଗଳ ଦେଖା କରିଥିଲେ। ପରଦିନ ଗୋବିନ୍ଦଙ୍କ ଝିଅ ବାପାଙ୍କ ସମ୍ପର୍କରେ ବୁଝିବାକୁ ଫୋନ କରିଥିଲେ। ଗୋବିନ୍ଦ କହିଲେ ତାଙ୍କୁ ଅଲଗା କେଉଁ ଯାଗାକୁ ଆଣିଛନ୍ତି। ଏଭଳି ଖବର ପାଇବା ପରେ ଝିଅ ଭାଇଙ୍କୁ ସୂଚନା ଦେଇଥିଲେ। ତେବେ ପୁଅ ଯୁଗଳ ଯେତେ ଫୋନ୍ କଲେ ବି’ ଫୋନ ଉଠାଇ ନଥିଲେ ଗୋବିନ୍ଦ। ୩ ତାରିଖ ଦିନ ଆଦର୍ଶ କୋଭିଡ କେୟାର କେନ୍ଦ୍ରରେ ଯୁଗଳ ପହଞ୍ଚି ବାପାଙ୍କ ବିଷୟରେ ପଚାରିବାରୁ କର୍ମଚାରୀ କହିଲେ ଯେ ତମ ବାପାଙ୍କର ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଯୁଗଳ ବାପାଙ୍କୁ ଖୋଜିଥିଲେ।

ଏଠାରେ ତୁମ ବାପା ନାହାନ୍ତି ତାଙ୍କୁ ବଳରାମ ପ୍ରସାଦରେ ଥିବା କୋଭିଡ଼ ସେଣ୍ଟରକୁ ପଠା ଯାଇଛି। ଯୁଗଳ ବଳରାମ ପ୍ରସାଦ ଯାଇ ସେଠାରେ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ। ସେଠାରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପରିଦର୍ଶନରେ ଯାଇଥିଲେ। ଯୁଗଳ ଜିଲ୍ଲାପାଳଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ। ଜିଲ୍ଲାପାଳ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା। ଜିଲ୍ଲାପାଳ କହିଥିଲେ ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କୁ ଭେଟ କରିଥିଲେ। କାଗଜପତ୍ର ଯାଞ୍ଚ କରିବା ପରେ ୧ ତାରିଖ ରାତି ୧୨ଟାରେ ଏଠାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ କେଉଁ ଆଡ଼େ ଗଲେ କିଛି ତଥ୍ୟ ନାହିଁ ବୋଲି କହିଥିଲେ ଡା. ଦାଶ।

ଏ ସମ୍ପର୍କରେ ମଙ୍ଗଳବାର ଅନୁଗୁଳ ସଦର ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ। ସଦର ଥାନା ଅଧିକାରୀ ଗୋବିନ୍ଦଙ୍କ ଫୋନ ଟ୍ରାକିଂ କରି ଜାଣିଲେ ଯେ ତାଳଚେର ବଲଣ୍ଡାରେ ଫୋନ ଦେଖାଉଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଗୋବିନ୍ଦ ତାଳଚେର ଅନନ୍ତ କଲୋନୀରେ ଅଛନ୍ତି ବୋଲି ସୂଚନା ମିଳିଛି। ସେ ତାଙ୍କ ଭାଇଙ୍କ ଘରେ ଅଛନ୍ତି। କିନ୍ତୁ ଏ ନେଇ ତାଙ୍କୁ କେହି ଲିଖିତଭାବେ ଜଣାଇ ନାହାଁନ୍ତି।