ମୁମ୍ବାଇ,ଏଜେନ୍ସି: ଦେଶରେ କରୋନା ଜୀବାଣୁ ମହାମାରୀକୁ ଶେଷ କରିବାକୁ ଜୋରଦାର ଚାଲିଛି ଟିକାକରଣ। ଏହି ସମୟରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ତଥା ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଟିକାକରଣ ବିଷୟରେ ଏକ ବଡ଼ ଘୋଷଣା କରିଛନ୍ତି। ନୀତା ଅମ୍ବାନୀ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ କମ୍ପାନୀ ସମସ୍ତ ରିଲାଏନ୍ସ କର୍ମଚାରୀ ଏବଂ ସେମାନଙ୍କ ପରିବାରର ଟିକାକରଣ ଖର୍ଚ୍ଚ ବହନ କରିବ।
ଏହି ଅବସରରେ ସେ କହିଛନ୍ତି କି ଆମେ ବର୍ତ୍ତମାନ ଏହି ସଂଗ୍ରାମର ଶେଷ ପର୍ଯ୍ୟାୟରେ ଅଛୁ ଏବଂ ଆମେ ଜିତିବୁ। ସେ କହିଛନ୍ତି, ମୁକେଶ ଅମ୍ବାନୀ ଏବଂ ମୁଁ ନିଷ୍ପତ୍ତି ନେଇଛୁ ଯେ ରିଲାଏନ୍ସ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏହି ଟିକା ମାଗଣାରେ ଯୋଗାଇଦେବୁ।
ଭାରତରେ କରୋନା ଟିକାକରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଗୁରୁବାର ପର୍ଯ୍ୟନ୍ତ ୧.୭୭ କୋଟି ଲୋକଙ୍କୁ ଏହି ଡୋଜ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗୁରୁବାର ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ମୋଟ ୧,୭୭,୧୧,୨୮୭ ଟିକା ଦିଆଯାଇଛି। ସେଥିମଧ୍ୟରୁ ୬୮,୩୮,୦୭୭ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ପ୍ରଥମ ଡୋଜ ଏବଂ ୩୦,୮୨,୯୪୨ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି। ଏଥି ସହିତ ୬୦,୨୨,୧୩୬ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ପ୍ରଥମ ଏବଂ ୫୪,୧୭୭ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି।