ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା ୮୩୫୬ ଜଣ ଆସିସାରିଛନ୍ତି। ସେହିପରି କରୋନାରେ ମୃତ୍ୟୁ ସଂଖ୍ୟା ୨୭୩ ଛୁଇଁଛି। ଏହାବାଦ ୭୧୬ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଦେଶର ବିଭିନ୍ନ ହସ୍ପିଟାଲରେ ୬୬୩୪ ଜଣ ଚିକିତ୍ସାଧୀନ ଅଛନ୍ତି। ମହାରାଷ୍ଟ୍ରରେ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି। ୧୫ ଶହ ୭୪ରେ ପହଞ୍ଚିଛି ଆକ୍ରାନ୍ତ ସଂଖ୍ୟା। ମୃତ୍ୟୁବରଣ କରିଛନ୍ତି ୧୧୦ ଜଣ। କେବଳ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ଟପି ଯାଇଛି। ଦିଲ୍ଲୀର ସ୍ଥିତି ମଧ୍ୟ ଗମ୍ଭୀର ହେବାରେ ଲାଗିଛି। ଦିଲ୍ଲୀର ଆକ୍ରାନ୍ତ ସଂଖ୍ୟା ୯୦୩ରେ ପହଞ୍ଚିଥିବା ବେଳେ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟ ୯୧୧।
ଦେଶରେ କରୋନା ଯୁଦ୍ଧରେ ପ୍ରମୁଖ ଅସ୍ତ୍ର ହେଲା ଲକ୍ଡାଉନ୍ ଓ କଣ୍ଟେନମେଣ୍ଟ ଜୋନ୍ ଘୋଷଣା। ଏହା ଦ୍ୱାରା ସଂକ୍ରମଣକୁ ବହୁ ମାତ୍ରାରେ ରୋକାଯାଇ ପାରିଛି। ନହେଲେ ବର୍ତ୍ତମାନ ୨ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହୋଇଥାଆନ୍ତେ। ଅର୍ଥାତ୍ ଲକ୍ଡାଉନ୍ ଓ କଣ୍ଟେନମେଣ୍ଟ ଜୋନ୍ ଭଳି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ନଥିଲେ ୪୧ ପ୍ରତିଶତ ଅଧିକ ସଂକ୍ରମିତ ହୋଇ ଥାଆନ୍ତେ। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକ ଲଭ ଅଗ୍ରଓ୍ଵାଲ୍।