ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୩୯କୁ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢି ଚାଲିଛି। ଗତକାଲି ଗୋଟିଏ ଦିନରେ ୧୦୩୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିଲ୍ଲୀରେ ସବୁଠାରୁ ଅଧିକ ୧୮୩ ମାମଲା ସାମ୍ନାକୁ ଆସିଛି। ସେହିପରି ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁରେ ମଧ୍ୟ ବଡ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଭିତରେ ଶେଷ ୨୪ ଘଣ୍ଟାରେ ୨୩୯ ଜଣଙ୍କ ଜୀବନ ଯାଇଥିବା ରିପୋର୍ଟ ଆସିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟାରେ ଦେଶରେ ୧୦୩୫ ନୂଆ ମାମଲା ଆସିଛି। ସେଥିରୁ ୪୦ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ଏଥିସହ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪୪୭କୁ ବୃଦ୍ଧି ହୋଇଛି। ସବୁଠାରୁ ଅଧିକ ଆକ୍ରାନ୍ତ ମହାରାଷ୍ଟ୍ରରେ ୧୫୭୪ ରହିଛି। ସେହିପରି ଦିଲ୍ଲୀରେ ୧୮୩ ନୂଆ ମାମଲା ସହିତ ଆକ୍ରାନ୍ତ ସଂଖ୍ୟା ୯୦୩କୁ ବୃଦ୍ଧି ହୋଇଛି। ତେଲେଙ୍ଗାନାରେ ୪୭୩, ଉତ୍ତରପ୍ରଦେଶରେ ୪୩୧, କେରଳରେ ୩୬୪, ଆନ୍ଧ୍ରପ୍ରଦେଶରେ ୩୬୩, ମଧ୍ୟପ୍ରଦେଶରେ ୨୫୯, ରାଜସ୍ଥାନରେ ୪୬୩ ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ଏବେ ସୁଦ୍ଧା ୬୪୩ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେପଟେ ଆସନ୍ତା ୧୪ ତାରିଖରେ ସାରାଦେଶରେ ଲକଡାଉନ୍ ଅବଧି ଶେଷ ହେଉଛି।

ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ଲକଡାଉନ୍ ସମୟ ପୁରୁଥିବା ବେଳେ ରାଜ୍ୟ ସରକାର ମାନଙ୍କ ମତାମତ ଲୋଡି ପାରନ୍ତି। ଏହା ପରେ ଲକଡାଉନ୍ ଅବଧି କଣ ହେବ ତାହାର ନିଷ୍ପତ୍ତି ନେଇ ପାରନ୍ତି। ଜାତୀୟ ଗଣମାଧ୍ୟମଙ୍କ ସୂଚନା ଅନୁସାରେ ମୋଦି ଏନେଇ ଶନିବାର ରାତି କିମ୍ବା ରବିବାର ସକାଳୁ ଘୋଷଣା କରିପାରନ୍ତି। ତେବେ କେନ୍ଦ୍ରର ନିଷ୍ପତ୍ତି ପୂର୍ବରୁ ଓଡିଶା ସରକାର ତାଲାବନ୍ଦର ଅବଧି ଏପ୍ରିଲ ୩୦ ଯାଏଁ ବଢାଇ ଦେଇଛନ୍ତି। ଏହି ଘୋଷଣାର ୨୪ ଘଂଟା ନପୁରୁଣୁ ପଂଜାବ ସରକାର ମଧ୍ୟ ମେ ୧ ତାରିଖ ଯାଏଁ ତାଙ୍କ ରାଜ୍ୟରେ ତାଲାବନ୍ଦ ଅବଧି ବଢାଇଛନ୍ତି। କର୍ଣ୍ଣାଟକ ସରକାର ବି ଏହି ଅବଧି ବଢାଇବା ନେଇ ଆଲୋଚନା ଜାରି ରଖିଛନ୍ତି। ପୂର୍ବରୁ ତେଲେଙ୍ଗାନା ମଧ୍ୟ ଏହି ଅବଧି ବଢାଇବାକୁ କେନ୍ଦ୍ରକୁ ଅନୁରୋଧ କରି ସାରିଛି।

ବର୍ତ୍ତମାନର ପରିସ୍ଥିତିରେ ଅଧିକାଂଶ ରାଜ୍ୟ ନବୀନ ସରକାରଙ୍କ ପଦାନୁସରଣ କରି ଲକଡାଉନ୍ ଅବଧି ବଢାଇବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।