ଦିନକରେ କରୋନା ମାମଲା ଲକ୍ଷେ ନିକଟତର : ସଂଖ୍ୟା ୪୬ ଲକ୍ଷ ୬୦ ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ରେକର୍ଡସ୍ତରରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୯୭ ହଜାର ୫୭୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୨୦୧ ଜଣଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ ସେପ୍ଟେମ୍ବର ୧୦ରେ ରେକର୍ଡସ୍ତରରେ ୯୬ ହଜାର ୫୫୧ ଜଣ କରୋନାରେ ସଂକ୍ରମିତ ହୋଇଥିଲେ। ଅନ୍ୟପଟେ ସେପ୍ଟେମ୍ବର ୨ ତାରିଖରୁ ଲଗାତାର ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଆଶ୍ୱସ୍ତିକର କଥାଟି ହେଲା, ଦିନକରେ ୮୧ ହଜାର ୫୩୩ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬ ଲକ୍ଷ ୬୦ ହଜାରକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୬ଲକ୍ଷ ୨୪ ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୭୭ ହଜାର ୪୭୨ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୯ଲକ୍ଷ ୫୮ହଜାର ଲୋକ ଚିକିତ୍ସିତ ହେଉଛନ୍ତି। ସକ୍ରିୟ ସଂକ୍ରମଣ ତୁଳନାରେ ସୁସ୍ଥ ହାର ପାଖାପାଖି ୩ଗୁଣା ଅଧିକ ରହିଛି।