କରୋନା : ବିଶ୍ୱବ୍ୟାପୀ ୪୨,୩୬୪ ମୃତ

ୱାଶିଂଟନ୍/ରୋମ,ଏଜେନ୍ସି : ବିଶ୍ୱରେ ପ୍ରାୟ ୮ ଲକ୍ଷ ୫୮ ହଜାର କରୋନା ସଂକ୍ରମିତଙ୍କ ମଧ୍ୟରୁ ୪୨ ହଜାର ୩୬୪ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରୁ ଲକ୍ଷେ ୭୮ ହଜାରରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଚୀନରେ କରୋନା ଏକପ୍ରକାର ହାତମୁଠାକୁ ଆସିଥିଲା ବେଳେ ଆମେରିକା ସମେତ ୟୁରୋପକୁ କଲବଲ କରୁଛି। କରୋନା କବଳିତ ଟପ୍ ଟେନ୍ ତାଲିକାରେ ଆମେରିକା ଏକ ନମ୍ବରରେ ଅଛି। ଆମେରିକାରେ ଲକ୍ଷେ ୮୯ ହଜାର ୫୧୦ ଆକ୍ରାନ୍ତ ହୋଇଥିଲା ବେଳେ ୪୦୭୬ ପ୍ରାଣ ହରାଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭୧୦୯ ସୁସ୍ଥ ଲାଭ କରିଛନ୍ତି। ଇଟାଲୀରେ ସଂକ୍ରମିତ ଲକ୍ଷେ ୫ ହଜାର ୭୯୨ ସଂକ୍ରମିତଙ୍କ ମଧ୍ୟରୁ ୧୨ ହଜାର ୪୨୮ ମୃତ୍ୟୁବରଣ କରିଛନ୍ତି।

ତେବେ ଇଟାଲୀରେ ଏ ପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତି ୧୫ ହଜାର ୭୨୯। ସ୍ପେନ୍ରେ ୯୫,୯୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୮,୪୬୪ ମୃତ୍ୟୁବରଣ କରିଛନ୍ତି ଓ ସୁସ୍ଥ ହୋଇଛନ୍ତି ୧୯,୨୫୯। ଚୀନରେ ମୋଟ ୮୧,୫୧୮ କରୋନା ସଂକ୍ରମିତଙ୍କ ମଧ୍ୟରୁ ମରିଛନ୍ତି ୩୩୦୫ ଓ ରୋଗମୁକ୍ତ ହୋଇଛନ୍ତି ୭୬,୦୫୨। ଜର୍ମାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧,୮୦୮କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୭୭୫ ପ୍ରାଣ ହରାଇଥିଲା ବେଳେ ସୁସ୍ଥ ହୋଇଛନ୍ତି ୧୬,୧୦୦। ଫ୍ରାନ୍ସରେ ୫୨,୧୨୮ ଆକ୍ରାନ୍ତ ହୋଇଥିଲା ବେଳେ ୩,୫୨୩ ମୃତ୍ୟୁବରଣ କରିଛନ୍ତି ।

ଅବଶ୍ୟ ସେଠାରେ ଚିକିତ୍ସାଧୀନ ୯,୪୪୪ ସୁସ୍ଥ ଲାଭ କରିଛନ୍ତି। ଇରାନରେ ଆକ୍ରାନ୍ତ ୪୪,୬୦୫ ମଧ୍ୟରୁ ୨,୮୯୮ ମରିଥିଲା ବେଳେ ୧୪,୬୫୬ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ବ୍ରିଟେନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫,୫୧୦କୁ ବୃଦ୍ଧି ପାଇଥିଲା ବେଳେ ମରିଛନ୍ତି ୧,୭୮୯ ଓ ସୁସ୍ଥ ହୋଇଛନ୍ତି ୧୩୫। ସ୍ୱିଜରଲାଣ୍ଡରେ ସଂକ୍ରମିତ ୧୬,୬୦୫ ମଧ୍ୟରୁ ପ୍ରାଣ ହରାଇଛନ୍ତି ୪୩୩ ଓ ଆରୋଗ୍ୟ ଲାଭ କରିଛନ୍ତି ୧,୮୨୩। ତାଲିକାର ଦଶମ ସ୍ଥାନରେ ଅଛି ତୁର୍କୀ। ତୁର୍କୀରେ କରୋନା ଆକ୍ରାନ୍ତ ସଂଖ୍ୟା ୧୩,୫୩୧ ଥିଲା ବେଳେ ମୃତ୍ୟୁସଂଖ୍ୟା ୨୧୪ ଅଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଅଦ୍ୟାବଧି ଉତ୍ତରକୋରିଆ ସମେତ ୧୫ଟି ଦେଶରେ କରୋନା ପ୍ରବେଶ କରିପାରିନି। ସେହିଭଳି ୩୭ଟି ଦେଶରେ କରୋନା ମାମଲା ୧୦ରୁ କମ୍ ଅଛି।