ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ଏବଂ ପ୍ରଦେଶ ପ୍ରଭାରୀଙ୍କ ମଧ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ପାର୍ଟି ସଦସ୍ୟତା ଅଭିଯାନ, ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ ରୂପରେଖ ଓ ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ନେଇ ଆଲୋଚନା ହୋଇଛି । ଏଥିସହିତ ଆସନ୍ତା ମାର୍ଚ୍ଚ ୩୧ରେ ଦରବୃଦ୍ଧି ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଆନ୍ଦୋଳନ ସମୟରେ ‘ଥାଳି ବଜାଓ, ଦରବୃଦ୍ଧି ହଟାଓ’ ନାରା ଦିଆଯିବ ବୋଲି ଜଣାପଡ଼ିଛି।
କଂଗ୍ରେସ ମୁଖ୍ୟାଳୟରେ ହୋଇଥିବା ବୈଠକରେ ପାର୍ଟି ସଂଗଠନର ମହାସଚିବ କେ ସୀ ବେଣୁଗୋପାଳ ଅଧ୍ୟକ୍ଷତା କରିଥିଲେ । ଦୀର୍ଘ ଘଣ୍ଟା ଧରି ହୋଇଥିବା ବୈଠକରେ ଉତ୍ତରପ୍ରଦେଶ ମହାସଚିବ ପ୍ରିୟଙ୍କା ଗାନ୍ଧୀ, କର୍ଣ୍ଣାଟକ ମହାସଚିବ ରଣଦୀପ ସିଂ ସୂର୍ଯ୍ୟେୱାଲା, ଅବିନାଶ ପାଣ୍ଡେ, ପୀଏଲ ପୁନିଆ, ହରୀଶ ଚୌଧୁରୀ, ମୁକୁଲ ବାସନିକ ଓ ଅଜୟ ମାକନ ପ୍ରମୁଖ ଉପସ୍ଥିତ ଥିଲେ ।