ଘରୋଇ ସ୍କୁଲ ବିରୋଧରେ ବର୍ଷିଲା କଂଗ୍ରେସ, ଲୁଟ୍ ବିରୋଧରେ ପଦକ୍ଷେପ ନିଅନ୍ତୁ ସରକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ସ୍କୁଲ ବନ୍ଦ ଥିବାବେଳେ ପିଲାମାନଙ୍କଠାରୁ ଘରୋଇ ସ୍କୁଲଗୁଡ଼ିକ ପକ୍ଷରୁ ଫି’ ଆଦାୟ କରାଯିବା ନେଇ ଦୃଢ଼ ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ। ଦଳର ବରିଷ୍ଠ ନେତା ମାନସ ଚୌଧୁରୀ କରୋନା ପରି ମହାମାରୀ ସମୟରେ ଅଭିଭାବକଙ୍କୁ ଶୋଷଣ କରୁଥିବା ଘରୋଇ ସ୍କୁଲଗୁଡ଼ିକ ବିରୋଧରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କରୋନା ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବାବେଳେ ସ୍କୁଲ କଲେଜ ବନ୍ଦ ରହିଛି। ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ଏକ ଭଲ ପଦକ୍ଷେପ। ତେବେ ଏପରି ଘଡ଼ିସନ୍ଧି ସମୟରେ ଅଭିଭାବକମାନଙ୍କୁ ବେସରକାରୀ ସ୍କୁଲଗୁଡ଼ିକ ଲୁଟ କରି ଚାଲିଛନ୍ତି। ରାଜ୍ୟ ସରକାର ଅଭାବୀ ଅଭିଭାବକଙ୍କ କଥା ଚିନ୍ତା କରୁନାହାନ୍ତି।

ବେସରକାରୀ ସ୍କୁଲଗୁଡ଼ିକ ଠାରୁ ବିଜେଡି ନେତାମାନେ ଚାନ୍ଦା ନେବାର ଅଭିଯୋଗ ଆଣିଛନ୍ତି ଶ୍ରୀ ଚୌଧୁରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସାରା ରାଜ୍ୟରେ ଏବେ ବେସରକାରୀ ସ୍କୁଲଗୁଡ଼଼ିକର ଚାପରେ ଅଭିଭାବକମାନେ ଚେପା ହୋଇଯାଇଛନ୍ତି। କରୋନା ପାଇଁ କେତେକ ଅଭିଭାବକଙ୍କର ଚାକିରି ପଳେଇଲାଣି ତ ସଟର ବନ୍ଦ ଥିବାରୁ ବ୍ୟବସାୟିକ କାରବାର ଠପ ହୋଇଯାଇଛି। ଏଭଳି ସ୍ଥିତିରେ ଘର ଚଳାଇବା ବି ମୁସ୍କିଲ ହୋଇଗଲାଣି। ମାତ୍ର ବେସରକାରୀ ସ୍କୁଲଗୁଡ଼ିକର ଟଙ୍କା ନିଶା ଛାଡୁ ନାହିଁ। ସବୁଠାରୁ ବଡ଼ କଥା ହେଉଛି କେତେକ ସ୍କୁଲ କେବଳ ଟ୍ୟୁସନ ଫି ନୁହେଁ, ବରଂ ଡେ ବୋର୍ଡିଂ ଚାର୍ଜଠାରୁ ନେଇ ଫୁଡ଼ିଂ ପର୍ଯ୍ୟନ୍ତ ଟଙ୍କା ନେଉଛନ୍ତି।

ସ୍କୁଲ ବନ୍ଦ ଥିବାରୁ ପିଲା ତ ସ୍କୁଲ ଯାଉନାହାନ୍ତି ତାହେଲେ ଖାଇବା ଟଙ୍କା କାହିଁକି ଦେବେ? ଡେ ବୋର୍ଡିଂ ଟଙ୍କା କାହିଁକି ଦେବେ? ଭିତ୍ତିଭୂମି ବିକାଶ ପାଇଁ ଟଙ୍କା କାହିଁକି ଦେବେ? ବୋଲି ଶ୍ରୀ ଚୌଧୁରୀ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଖାଲି ଫି’ ଛାଡ଼ କରିବାକୁ ଅନୁରୋଧ କଲେ ଚଳିବ ନାହିଁ, ସେମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ ଦାବି କରିଛନ୍ତି। ସେହିପରି ଏନେଇ ସେ କେତେକ ଦାବି ରଖି କହିଛନ୍ତି ଯେ ବେସରକାରୀ ସ୍କୁଲଗୁଡ଼ିକରେ ଫି’ ନିର୍ଦ୍ଧାରଣ କମିଟି ଦେଇଥିବା ସୁପାରିସକୁ ଲାଗୁ କରାଯାଉ। ବେଆଇନ ଭାବେ ବିଭିନ୍ନ ଫି’ ଲାଗୁ କରୁଥିବା ଘରୋଇ ବିଦ୍ୟାଳୟଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଘରୋଇ ସ୍କୁଲଗୁଡ଼଼ିକରେ ୨୫% ଗରିବ ଓ ଅବହେଳିତ ବର୍ଗର ପିଲାମାନେ ଯେଭଳି ପାଠ ପଢ଼ିବେ ତାହା ସୁନିଶ୍ଚିତ କରାଯାଉ।

ଅନେକ ସମୟରେ ମିଛ କହି ଘରୋଇ ସ୍କୁଲଗୁଡ଼ିକ ସରକାରଙ୍କୁ ଠକୁଛନ୍ତି। ସେହି ମାଲିକମାନଙ୍କୁ ଗିରଫ କରିବା ସହ ସ୍କୁଲରୁ ସ୍ୱୀକୃତି ପ୍ରତ୍ୟାହାର କରିବା ଦରକାର ବୋଲି ସେ କହିଛନ୍ତି। ସେହିପରି ଶିକ୍ଷା ଅଧିକାର ଆଇନ ଅନୁଯାୟୀ, ୨୫% ସିଟ ଅବହେଳିତ ଶ୍ରେଣୀ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିଲେ ବି ସିଟ ବିକା ଯାଉଥିବାର ନଜିର ରହିଛି। ଏନେଇ କୋର୍ଟରେ ବି ମାମଲା ହୋଇଛି। ବିନା ଏନ୍ଓସିରେ ଚାଲିଥିବା ସ୍କୁଲଗୁଡ଼ିକ ଉପରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି।