ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପୂର୍ବାହ୍ନରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଭୁବନେଶ୍ୱର ସ୍ଥିତ ଓସେପାର ସମ୍ମିଳନୀ କକ୍ଷରେ ଆୟୋଜିତ ହେଉଥିବା ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକମାନଙ୍କର ଦୁଇ ଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ କରି କହିଲେ ଯେ, ଲୋକମାନଙ୍କର ଆଶା ଓ ଆକାଂକ୍ଷାକୁ ପୂରଣ କରିବା କ୍ଷେତ୍ର ଅଧିକାରୀମାନଙ୍କର ମୂଳ ଲକ୍ଷ୍ୟ ହେବା ଉଚିତ। ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକମାନେ ନିଷ୍ଠାର ସହିତ ବିଦ୍ୟାଳୟ ପରିଦର୍ଶନ ଓ ତଦାରଖ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାଶ ନିର୍ଦ୍ଦେଶ ଦେଇଛନ୍ତି।

ଶିକ୍ଷାକ୍ଷେତ୍ରରେ ବୈପ୍ଳବିକ ପରିବତ୍ତର୍ନ ଆଣିବା ପାଇଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାନଙ୍କର ମାନସିକ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ। ‘ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ’କୁ ସଫଳ ରୂପେ ବିଦ୍ୟାଳୟରେ ପରିଚାଳନା ଓ ରୂପାୟନ କରିବା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି) ଓ ବ୍ଲକ୍‌ ଶିକ୍ଷା ଅଧିକାରୀ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହାଇସ୍କୁଲମାନଙ୍କରେ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ନିମନ୍ତେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ବିଭାଗୀୟ କମିସନର ତଥା ଶାସନ ସଚିବ ଅଶ୍ୱଥୀ.ଏସ୍‌. ଶିକ୍ଷାର ମାନ ବୃଦ୍ଧି ପାଇଁ ଡିଇଓ ତଥା ଡିପିସିମାନଙ୍କୁ ଜିଲ୍ଲାସ୍ତରରେ ଥିବା ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ କ୍ଲାସ ଏବଂ ଇଣ୍ଟରନେଟ୍‌, ଇ ଲାଇବ୍ରେରୀ, ବିଜ୍ଞାନାଗାର ଇତ୍ୟାଦିର ଉପଲବ୍ଧତା ଓ ସୁବ୍ୟବହାର ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା ଅନୁପମ ସାହା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ରୂପାନ୍ତରିତ ପାଇଁ ବିଭିନ୍ନ ସମୟରେ ଦିଆଯାଉଥିବା ନିର୍ଦ୍ଦେଶାବଳୀ ସମ୍ବନ୍ଧୀୟ ’Compendium of instructions under High School Transformation programme’ ପୁସ୍ତକକୁ ଉନ୍ମୋଚିତ କରାଯାଇଥିଲା।

ଏହି ସମ୍ମିଳନୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଭିିନ୍ନ ବରିଷ୍ଠ ପଦାଧିକାରୀ ଓ ଏହା ଅଧିନସ୍ଥ ବିଭିନ୍ନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏଥିରେ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଉପସ୍ଥିତ ରହି ସକ୍ରିୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।