ଅଧିକ ଶବ୍ଦ କରୁଥିବା ଗାଡ଼ି ଚଳାଉଥିଲେ ଦେବେ ମୋଟା ଅଙ୍କର ଫାଇନ୍‌, ସିଜ୍ ହୋଇପାରେ ଗାଡ଼ି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କଡା ହେଉଛି ଟ୍ରାଫିକ୍ ନିୟମ। ସଡ଼କ ସୁରକ୍ଷା, ପ୍ରଦୂଷଣ ଓ ଲୋକମାନଙ୍କ ଜୀବନକୁ ଦୃଷ୍ଟିରେ ରଖି ବିଶେଷ ଭାବରେ ଏବେ ଟ୍ୱିନସିଟିରେ ଟ୍ରାଫିକ୍ ନିୟମକୁ ଆହୁରି କଡା କରାଯାଇଛି।

କେବଳ ହେଲମେଟ୍ ଓ ସିଟ୍ ବେଲ୍ଟ ନୁହେଁ ଏଣିକି ରୋଡ୍ ରୋମିଓ ମାନଙ୍କୁ ସାବାଡ୍ କରିବ ଟ୍ରାଫିକ୍ ପୁଲିସ। ରାସ୍ତାରେ ଅଧିକ ଶବ୍ଦ କରୁଥିବା ଗାଡି ଚଳାଉଥିଲେ ସାବଧାନ। ଆପଣଙ୍କ ସଉକ୍ ପାଇଁ ଆପଣଙ୍କୁ ଦେବାକୁ ପଡିପାରେ ମୋଟା ଅଙ୍କର ଫାଇନ। ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ଶବ୍ଦ ପ୍ରଦୂଷଣ ତଥା ଅଧିକ ଶବ୍ଦ କରୁଥିବା ୨୭ଟି ଗାଡ଼ିକୁ ଜବତ କରାଯାଇଛି। ଏହି ସବୁ ଗାଡିକୁ ଆସନ୍ତା ସପ୍ତାହରେ କୋର୍ଟ ଚାଲାଣ କରାଯିବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ ସୂଚନା ମିଳିଛି।

ଏହାସହ ଜନସାଧାରଣଙ୍କୁ କମିସନରେଟ ପୁଲିସ ଅପିଲ କରିଛି ଯେ, ଯଦି ଆପଣଙ୍କ ନଜରରେ ଏଭଳି ଗାଡି ପଡେ, ତେବେ ତୁରନ୍ତ ପୁଲିସକୁ ଖବର ଦିଅନ୍ତୁ। ଏଥିପାଇଁ ସ୍ୱତନ୍ତ୍ର ଭାବରେ ହ୍ୱାଟ୍ସଆପ୍ ନମ୍ବର ମଧ୍ୟ ଜାରି କରିଛି କମିଶନରେଟ ପୁଲିସ।

୮୦୯୩୦୨୮୧୦୭ ଏହି ନମ୍ବରରେ ମେସେଜ୍ କରି ଏଭଳି ଶବ୍ଦ ପ୍ରଦୂଷଣକାରୀ ଗାଡି ବାବଦରେ କେହି ବି ସୂଚନା ଦେଇ ପାରିବେ ବୋଲି କମିସନରେଟ୍ ପୋଲିସ୍ କହିଛି।