ଆସନ୍ତା କାଲିଠୁ ରାଜ୍ୟରେ ବଢିବ ଶୀତର ପ୍ରକୋପ, ନୂଆବର୍ଷ ଯାଏଁ ଜାଡରେ ଥରିବ ଓଡ଼ିଶା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ବଢୁଛି ଶୀତ। ନୂଆବର୍ଷରେ ହାଡ଼ଭଙ୍ଗା ଶୀତରେ ଥରିବ ସାରା ଓଡ଼ିଶା। ରାଜଧାନୀ ସମେତ ପୂରା ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଏଥିସହି ରାଜ୍ୟର ୬ ଜିଲ୍ଲାରେ ଅତ୍ୟଧିକ ଶୀତ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲ୍ଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏନେଇ ଏସଆରସି ମଧ୍ୟ ସତର୍କ ସୂଚନା ଜାରି କରିଛନ୍ତି। ଏହି ଜିଲ୍ଲାଗୁଡ଼ିକ ହେଉଛି ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ ଓ କନ୍ଧମାଳ। ଶୀତ ଦୃଷ୍ଟିରୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସଆରସି।

ଏପଟେ ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଇଛି। ନିରାଶ୍ରୟଙ୍କ ରାତ୍ର ରହଣି ଲାଗି ବିଏମସିରେ ଅସ୍ଥାୟୀ ଆଶ୍ରୟ ଗୃହ ଖୋଲିବାକୁ ଭୁବନେଶ୍ୱର ବ୍ଲକ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ବିଏମସିର ଅତିରିକ୍ତ କମିସନର।

ବିଭିନ୍ନ ସ୍କୁଲକୁ ସାମୟିକ ଆଶ୍ରୟ ଗୃହ ଭାବେ ବ୍ୟବହାର ଲାଗି ନିର୍ଦ୍ଦେଶ ରହିଛି। ଆଇଆରସି ଭିଲେଜସ୍ଥିତ ସରକାରୀ ନୋଡାଲ ସ୍କୁଲରେ ଓ ବୁଦ୍ଧେଶ୍ୱରୀ କଲୋନୀର ଷ୍ଟେସନ୍ ବଜାର ୟୁପି ସ୍କୁଲରେ ଆଶ୍ରୟ ଗୃହ ଲାଗି ଚିଠି ଲେଖାଯାଇଛି।