ମେ’ ୧୫ରୁ ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: “ଆମେ କଥା ନୁହେଁ କାମରେ ବିଶ୍ୱାସ କରୁ’ ଏହି ଉକ୍ତିକୁ ଅକ୍ଷରେଅକ୍ଷରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର କାମ କରିଚାଲିଛନ୍ତି। ଆସନ୍ତା ମେ’ ୨୯ ତାରିଖ ଦିନ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ସରକାର ତାର ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂରଣ କରୁଛି।

ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ସରକାରଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ। ଆଗାମୀ ମେ’ ୧୫ରୁ ୨୫ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିବ। ଆଜି ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ତାଙ୍କ ମନ୍ତ୍ରୀ ପରିଷଦର ସଭ୍ୟମାନଙ୍କୁ ବ୍ୟକ୍ତିଗତ ଭାବରେ ପତ୍ର ଲେଖି ଜଣାଇଛନ୍ତି। ସଚିବମାନଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ। ଏହା ସହିତ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମ ସେମାନଙ୍କ ବିଭାଗରେ କିଭଳି କାର୍ଯ୍ୟକାରୀ କରାଯାଇଛି ଏବଂ ଏହା ସେମାନଙ୍କ ବିଭାଗର କାର୍ଯ୍ୟଧାରାରେ କିଭଳି ଉନ୍ନତି ଆଣିଛି ଓ ବିଭାଗକୁ କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ। ତେଣୁ ଗଣତନ୍ତ୍ରରେ ଉତ୍ତର ଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ସାଢ଼େ ୪ କୋଟି ଜନତା ଯେଉଁ ଦାୟିତ୍ୱ ଆମକୁ ଦେଇଛନ୍ତି, ଯେଉଁ ପ୍ରତିଶ୍ରୁତି ଆମେ ଲୋକଙ୍କୁ ଦେଇଛୁ, ତାକୁ ପାଳନ ଦିଗରେ କେତେ ଦୂର ଆମେ ସଫଳ ହୋଇଛୁ ତାର ହିସାବ ଲୋକଙ୍କୁ ଦେବାକୁ ହେବ ଓ ଏହା ଗଣତନ୍ତ୍ରର ମର୍ଯ୍ୟାଦା ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।