ରାଜଧାନୀରୁ ଆଉ ୧୭୧ କୋଭିଡ ପଜିଟିଭ ମାମଲା ଚିହ୍ନଟ, ୫୩ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ହୁ ହୁ ହୋଇ ବଢ଼ୁଛି। ଏହି ମଧ୍ୟରେ ଆଜି ଭୁବନେଶ୍ୱରରୁ ୧୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୫ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୨୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଅନ୍ୟପଟେ କରୋନାରୁ ୫୩ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଖଣ୍ଡଗିରିରୁ ୧୬ ଜଣ, ଡେଲଟା ଛକରୁ ୧୧ ଜଣ, ପଟିଆ, ପୁରୁଣା ବଜାର ଓ ଟଙ୍କପାଣି ରୋଡରୁ ୬ ଜଣ ଲେଖାଏଁ ରହିଛନ୍ତି।

ଏଥିସହିତ ରାଜଧାନୀରେ ମୋଟ କୋଭିଡ କେସ ୩୩,୩୬୪ରେ ପହଞ୍ଚିଛି। ସେଥିରୁ ୩୨,୨୧୦ ଜଣ ସୁସ୍ଥ ହୋଇଛନ୍ତି ଓ ୨୫୦ ଜଣଙ୍କ ମୃତ୍ୟୁ ହୋଇସାରିଛି। ସେହିପରି ୮୮୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।