ରାଉରକେଲା,ଏନ୍ଏନ୍ଏସ୍: ଇତିହାସରେ ବିକାଶର ନୂଆ ଫର୍ଦ୍ଦ ଭାବେ ଯୋଡି ହେବ ସୁନ୍ଦରଗଡ ଜିଲ୍ଲା । ଆଜି ଦିନିକିଆ ରାଉରକେଲା ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରରେ ନିର୍ମତ ହୋଇଥିବା ବିଶ୍ବସ୍ତରୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ଉଦଘାଟନ କରିବେ । ମୁଖ୍ୟମନ୍ତ୍ରୀ ଆଜି ୧୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଏକାଧିକ ପ୍ରକଳ୍ପ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇସାରିଛି ।
ରାଉରକେଲା ଆସିବେ ମୁଖ୍ୟମନ୍ତ୍ରୀ: ସୂଚନାଅନୁସାରେ, ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ୧୨ଟା ୧୫ ମିନିଟ ସମୟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ୧୨.୨୦ ମିନିଟ ସମୟରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ପରିସରରେ ଥିବା ଓ୍ବାର୍ଲ୍ଡ କପ ଭିଲେଜକୁ ଉଦଘାଟନ କରିବେ । ଏହାସହ ହକି ଖେଳାଳିଙ୍କ ସହ ମିଶି ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ମଧ୍ୟାହ୍ନ ଭୋଜନ ପରେ ରାଉରକେଲା ସ୍ଥିତ ଡିଏଭି ପୁଷ୍ପରିଣୀ ନିକଟରେ ଆୟୋଜିତ ସଭାରେ ଡିଜିଟାଲ ମାଧ୍ୟମରେ ରାଉରକେଲା ତଥା ସୁନ୍ଦରଗଡ ଜିଲ୍ଲା ପାଇଁ ୧୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପଣ କରିବେ । ଏହାପରେ ଅପରାହ୍ନ ୪ଟା୨୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ବହୁ ପ୍ରତୀକ୍ଷିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟାମକୁ ଉଦଘାଟନ କରିବେ । ଏହି ହକି ଷ୍ଟାଡିୟମ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ଭାବେ ପରିଚୟ ପାଇବ ।
ସୂଚନାଅନୁସାରେ, ହକି ଷ୍ଟାଡିୟମ ସହ ୧୧ କୋଟି ୯୯ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିର୍ସାମୁଣ୍ଡା ଫୁଟବଲ ଷ୍ଟାଡିୟମ, ମଲ୍ଟି କାର ପାର୍କିଂ ବ୍ୟବସ୍ଥା, ହନୁମାନ ବାଟିକା ଛକରୁ ଆରଏସପି ମୁଖ୍ୟ ଫାଟକ ପର୍ଯ୍ୟନ୍ତ ୧୭ କୋଟି ୯୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ରିଂ ରୋଡର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସରେ ୧୬ କୋଟି ୭ ଲକ୍ଷ ଟଙ୍କାରେ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ଉଦଘାଟନ କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ଅଧିକାରୀଙ୍କ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଉରକେଲାରେ ୩୦ ପ୍ଲାଟୁନ ଫୋର୍ସ ପୋଲିସ ମୁତୟନ ହେବେ ।