ଆମପାଣିରେ ବିଜୁ ଏକ୍ସପ୍ରେସ ଓ୍ଵେ ଲୋକାର୍ପିତ, ୩ ଜିଲ୍ଲାରେ ୩୦୮୧ କୋଟି ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ବର,ଏନ୍ଏନ୍ଏସ୍: ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ବରଗଡ, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତ କରିଛନ୍ତି । ଆମପାଣିରେ ବିଜୁ ଏକ୍ସପ୍ରେସ ଓ୍ଵେ’କୁ ଏବଂ ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଅର୍ଥନୈତିକ କରିଡର ଲୋକାର୍ପଣ କରିଛନ୍ତି । ଏହା ସହିତ ଏହି ତିନି ଗୋଟି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଆୟୋଜିତ ସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି, ବିଜୁ ଏକ୍ସପ୍ରେସ ଓ୍ଵେ କେବଳ ଏକ ରାସ୍ତା ନୁହେଁ । ଏହା ହେଉଛି ଏ ଅଞ୍ଚଳର ଜୀବନ ରେଖା । ଏହି ଏକ୍ସପ୍ରେସ ୱେ କେବଳ ଏ ଅଞ୍ଚଳ ନୁହେଁ ସାରା ଓଡ଼ିଶା ପାଇଁ ବିକାଶର ନୂଆ ଇତିହାସ ଲେଖିବାକୁ ଯାଉଛି । ବିଜୁ ଏକ୍ସପ୍ରେସ ଓ୍ଵେ ଏ ଅଞ୍ଚଳ ପାଇଁ ଅନେକ ସୁଯୋଗ ଆଣିଛି । ଚାଷୀ ପାଇଁ ବଜାର ସୁବିଧା, ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ସୁବିଧା, ବ୍ୟବସାୟୀମାନଙ୍କୁ ସୁବିଧା, ସ୍ବାସ୍ଥ୍ୟ ସେବାରେ ଆହୁରି ଉନ୍ନତି ଆସିବ । ସାଧାରଣ ଲୋକ ମଧ୍ୟ ସୁବିଧାରେ ଯାତାୟତ ରୂପାନ୍ତର କାମକୁ ମଜଭୁତ କରିବ । ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସର ଦୁଇପାଖେ ବିଜୁ ଅର୍ଥନୈତିକ କରିଡର ହେବା ଦ୍ଵାରା ପୁଞ୍ଜି ବିନିଯୋଗ ବଢିବ । ନୂଆନୂଆ ଶିଳ୍ପ ଗଢି ଉଠିବ ।

ଗସ୍ତ ସମୟରେ ରାଜନୈତିକ ବିରୋଧୀଙ୍କୁ ବାର୍ତ୍ତା ମଧ୍ୟ ଦେଇଛନ୍ତି ନବୀନ । ସେ କଥାରେ ନୁହେଁ କାମରେ ବିଶ୍ବାସ କରନ୍ତି । ବିଜୁ ଅର୍ଥନୈତିକ କରିଡରକୁ ପୁଞ୍ଜିପତିମାନଙ୍କୁ ଆକର୍ଷଣ କରିବା ପାଇଁ ପ୍ରୋତ୍ସାହନ ଭାବରେ ଅତିରିକ୍ତ ୩୦ ପ୍ରତିଶତ ରିହାତି ନିବିଶେକମାନଙ୍କୁ ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶିଳ୍ପ ବିକାଶ କାର୍ଯ୍ୟ ତ୍ଵରାନିତ କରିବା ପାଇଁ ଆଗୁଆ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ବିଜୁ ଅର୍ଥନୈତିକ କରିଡର ଦ୍ଵାରା ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ଘଟିବ । ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ ବୋଲି କହିଛନ୍ତି ନବୀନ ।

ଘଟିପଡ଼ାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ଓ୍ଵେ’ର ୪ ଲେନ୍‌ ରାସ୍ତା କାମ ୧ ବର୍ଷ ମଧ୍ୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଓଡ଼ିଶାରେ ଭିତ୍ତିଭୂମି ବିକାଶ ପାଇଁ ଅଗ୍ରଣୀ ଭୂମିକା ନେଇଥିବା ମହାନ ଜନନାୟକ ବିଜୁ ବାବୁଙ୍କୁ ସେ ସ୍ମରଣ କରିଛନ୍ତି । ବାବୁଙ୍କ ଆଦର୍ଶରେ ଏକ ସଶକ୍ତ ଓଡ଼ିଶା ଗଠନ ପାଇଁ ସେ କାମ କରି ଚାଲିଛନ୍ତି । ସମ୍ବଲପୁର-ରାଉଲକେଲା ରାସ୍ତା ବିଜୁବାବୁଙ୍କ ପରିକଳ୍ପନା ଥିଲା । L&T ରାସ୍ତା ଭାବେ ପରିଚିତ ଏହି ରାସ୍ତାର ଆରମ୍ଭ ସ୍ଵର୍ଗତ ବିଜୁବାବୁ ୧୯୯୩ ମସିହାରେ ଆରମ୍ଭ କରିଥିଲେ । ଓଡ଼ିଶା ମାଟି ଓ ଏ ମାଟିର ମଣିଷର ସ୍ଵପ୍ନ ସହ ବିଜୁବାବୁ ସବୁବେଳେ ଯୋଡିହୋଇ ରହିଥିଲେ । ତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ସବୁ କାର୍ଯ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ସଦସ୍ୟ, ତଥା ବିଧାୟକମାନେ ଉପସ୍ଥିତ ରହିଥିଲେ ।