ଗାନ୍ଧୀଙ୍କ ହୃଦୟରେ ସ୍ଥାନ ପାଇଥିଲା ଓଡ଼ିଶା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ବିଧାନର ମୁଖ ବନ୍ଧରେ ଅହିଂସାକୁ ସ୍ଥାନ ଦିଆଯାଉ। ମହାତ୍ମା ଗାନ୍ଧୀ କେବଳ ବ୍ୟକ୍ତି ନୁହନ୍ତି ଏକ ବିଚାର। ଗାନ୍ଧୀ ଦର୍ଶନର ପ୍ରାସଙ୍ଗିକତା ଜନସେବା କ୍ଷେତ୍ରରେ ଆଜି ବି ଗୁରୁତ୍ୱ ବହନ କରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହା ସହିତ ଗାନ୍ଧୀଙ୍କ ଉପରେ ବର୍ଷ ବ୍ୟାପୀ କାର୍ଯ୍ୟକ୍ରମ ପାଳନ ପାଇଁ ଆଗତ ସଂକଳ୍ପ ଗୃହୀତ ହୋଇଛି ।
ମଙ୍ଗଳବାର ସଂସ୍କୃତି ଓ ଓଡ଼ିଆ ଭାଷା ସାହିତ୍ୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏ ସମ୍ପର୍କିତ ସଂକଳ୍ପ ଆଗତ କରିଥିଲେ। ଏହି ସଂକଳ୍ପ ଆଲୋଚନାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶା ଏକ ବିଶେଷ ସ୍ଥାନ ଅଧିକାର କରିଥିଲା। ମହାତ୍ମା ଆଠ ଥର ଓଡ଼ିଶା ଗସ୍ତ କରିଥିଲେ ଏବଂ ତାଙ୍କର ଓଡ଼ିଶା ଗସ୍ତର ଶହେ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭା ତାଙ୍କୁ ସ୍ମରଣ କରୁଛି। ୨୩ ମାର୍ଚ୍ଚ ୧୯୨୧ରେ ଗାନ୍ଧିଜୀ ଓଡ଼ିଶା ଆସିଥିଲେ । ପଦଯାତ୍ରା କରି ଗାନ୍ଧିଜୀ ଓଡ଼ିଶାର ଲୋକଙ୍କ ହୃଦୟର ଅତି ନିକଟତର ହୋଇପାରିଥିଲେ। ତାଙ୍କର ଏହି ଗସ୍ତ ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ଦେବା ବ୍ୟତୀତ ବିଭିନ୍ନ ସାମାଜିକ ସମସ୍ୟା ବିଷୟରେ ଅଧିକ ସଚେତନତା ସୃଷ୍ଟି କରିଥିଲା। ବିଶ୍ୱକୁ ଗାନ୍ଧୀ ଦର୍ଶନ ଏବଂ ତାଙ୍କ ବାର୍ତ୍ତା ଭାରତର ବିଶେଷ ଅବଦାନ। ଦେଶ ଏବେ ମହାମାରୀ କରୋନାରୁ ମୁକୁଳିବାକୁ ସଂଗ୍ରାମ ଚଳାଇଛି। ତେବେ ଗାନ୍ଧୀଜୀଙ୍କ ନୀତି ଅନୁସାରେ ଯଦି ଜନସଂଖ୍ୟାର ବଡ଼ ଭାଗ ଦାରିଦ୍ର୍ୟ ତଥା ଦୁର୍ବଳତା ଭିତରେ ବସବାସ କରନ୍ତି ତେବେ ଧନ ଏବଂ ଅଭିବୃଦ୍ଧିର କୌଣସି ମୂଲ୍ୟ ନାହିଁ। ବ୍ୟକ୍ତିଗତ ଲୋଭରୁ ଦୂରେଇ ରହିବା ଏବଂ ସମ୍ପ୍ରଦାୟ ବିଷୟରେ ଭାବିବା ପାଇଁ ତାଙ୍କର ବାର୍ତ୍ତା ଏବେ ବି ଆବଶ୍ୟକ ହେଉଛି। ବିଶ୍ୱରେ ବିଭାଜନ ବୃଦ୍ଧି ପାଉଥିବାରୁ ମହାତ୍ମାଙ୍କ ଅହିଂସା ଅସ୍ତ୍ର ଆଜି ବି ଜରୁରୀ ହୋଇପଡିଛି। ଅହିଂସା ପ୍ରତିରୋଧ ହେଉଛି ଏକ ସ୍ପାର୍କ, ତାହା ସାରା ବିଶ୍ୱରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ପ୍ରଜ୍ୱଳିତ କରିଛି ବୋଲି ନବୀନ କହିଛନ୍ତି।
ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ କହିଲେ ଯେ ଗାନ୍ଧୀଙ୍କ ନୀତି ଓ ବିଚାରର ପ୍ରାସଙ୍ଗିକତା ସବୁଦିନ ରହିବ। ତେଣୁ ରାଜ୍ୟ ସରକାର ମଦ ବିକ୍ରିକୁ ପ୍ରୋତ୍ସାହିତ କରିବା ଉଚିତ ନୁହେଁ। ତାହା ହିଁ ଗାନ୍ଧୀଙ୍କ ନୀତି ଓ ଆଦର୍ଶର ପରିପନ୍ଥୀ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଅହିଂସା ଶବ୍ଦ ସମ୍ଭିଧାନ ମୁଖବନ୍ଧରେ ରହିବା ଦରକାର। ହେଲେ ତାହା କାଗଜ କଲମରେ ନ ରହି ବାସ୍ତବ କ୍ଷେତ୍ରରେ କାର୍ଯ୍ୟ କରାଯାଉ। ଗାନ୍ଧିଜୀଙ୍କୁ ଲୋକେ ଭୁଲିଯିବାକୁ ବସିଲେଣି। ଆଗାମୀ ପିଢ଼ିଙ୍କୁ ତାଙ୍କ ଜୀବନୀ ବିଷୟରେ ଜଣାଇବାକୁ ପଡ଼ିବ । ତେଣୁ ସରକାର ସ୍କୁଲ ପାଠ୍ୟକ୍ରମରେ ତାହା ସ୍ଥାନୀତ କରନ୍ତୁ ବୋଲି ସେ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଦେବୀ ପ୍ରସାଦ ମିଶ୍ର, ପ୍ରଫୁଲ୍ଲ କୁମାର ସାମଲ, ସନ୍ତୋଷ ସିଂହ ସାଲୁଜା, ଭୂପିନ୍ଦର ସିଂହ, ଅମର ପ୍ରସାଦ ଶତପଥୀ, ବିଷ୍ଣୁ ସେଠୀ, ତାରା ପ୍ରସାଦ ବାହିନୀପତି, ମୋହନ ଚରଣ ମାଝୀ, ମୁକେଶ ମହାଲିଙ୍ଗ ଓ ରଣେନ୍ଦ୍ର ପ୍ରତାପ ପ୍ରତାପ ସ୍ୱାଇଁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।