ଏଣିକି ବାହାଘରରେ ୫୦୦ ନୁହେଁ ୨୦୦ ଲୋକଙ୍କୁ ଅନୁମତି

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ପାଇଁ ରାଜ୍ୟ ସରକାର ମଙ୍ଗଳବାର ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ବାହାଘର ଭଳି ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ ରହିଛି। ପୂର୍ବରୁ ସର୍ବାଧିକ ସଂଖ୍ୟା ୫୦୦ ରହିଥିବା ବେଳେ ଆଜିର ଗାଇଡଲାଇନ୍ରେ ଏହାକୁ କମାଇ ୨୦୦କୁ ହ୍ରାସ କରାଯାଇଛି। ସେହିପରି ଦଶାହ ଓ ଶୁଦ୍ଧିକ୍ରିୟାରେ ଏଣିକି ୫୦୦ ବଦଳରେ ୫୦ ଜଣଙ୍କୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ମାସ୍କ ପରିଧାନ କଡ଼ାକଡ଼ି କରାଯିବ। ଅତିଥି ମାସ୍କ ପରିଧାନ କରିଛନ୍ତି କି ନାହିଁ ପ୍ରବେଶ ପଥରେ ଯାଞ୍ଚ ହେବ। ନିୟମକୁ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଏହାବ୍ୟତୀତ ବେଶୀ ସଂକ୍ରମିତ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ କଟକଣା ମାର୍ଚ୍ଚ ୨୬ ତାରିଖରୁ ଲାଗୁ ହେବା ନେଇ ଘୋଷଣା କରାଯାଇଛି।
ପ୍ରକାଶଥାଉ କି, କରୋନା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଏସ୍ପିମାନଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସ୍ଆରସି ପ୍ରଦୀପ କୁମାର ଜେନା , ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ। ପରିସ୍ଥିତି ନିୟମିତ ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବୈଠକରେ ଆର୍ଟିପିସିଆର ଟେଷ୍ଟ ଅଧିକ ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ମିନି କଣ୍ଟେନମେଣ୍ଟ ଜୋନ ପାଇଁ ପ୍ରସ୍ତାବ ସହ ସହରାଞ୍ଚଳ ସମ୍ବେଦନଶୀଳ ଅଞ୍ଚଳ ଉପରେ ତୀକ୍ଷ୍ନ ନଜର ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସେପଟେ ସ୍ଥିତିକୁ ଦୃଷ୍ଟିରେ ରଖି କାର୍ଯ୍ୟାନୁଷ୍ଠାନ ନେବା ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।