୧୦ ପ୍ରସ୍ତାବରେ କ୍ୟାବିନେଟ୍ ମୋହର : ୧୦ଟି ଆଦିବାସୀ ଭାଷାରେ ଦିଆଯିବ ଶିକ୍ଷାଦାନ

ଭୁବନେଶ୍ୱର, ଏନଏନଏସ: ରାଜ୍ୟରେ ଏକ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ। ରାଜ୍ୟ ସରକାର ଏନେଇ ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରି କରିଛନ୍ତି। ସେହିପରି ୯ ଜିଲ୍ଲାରେ ୧୦ଟି ଆଦିବାସୀ ଭାଷାରେ ଦିଆଯିବ ଶିକ୍ଷାଦାନ। ଏଥିପାଇଁ ୨୦୦୮ରୁ ସୃଷ୍ଟି କରାଯାଇଥିବା ୧୦୦ ଠିକା ଭାଷା ଶିକ୍ଷକ ପଦବୀକୁ ନିୟମିତ କରାଯିବ। ବସ୍ତିବାସିନ୍ଦାଙ୍କୁ ଅନ୍ୟୁନ ୩୦ ବର୍ଗମିଟର ଜମି ଉପରେ ଅଧିକାର ମିଳିବ। ଏ ସମ୍ପର୍କିତ ଗୁରତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୋହର ଲାଗିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ସଂସଦୀୟ ମନ୍ତ୍ରୀ କହିଥିଲେ, ରାଜ୍ୟରେ ଏକ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଥିବା ସମସ୍ତ ମେଡିକାଲ ଏବଂ ପାରାମେଡିକାଲ ଅନୁଷ୍ଠାନ ଏହା ଅଧିନକୁ ଆସିବ। ତେଣୁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ ୨୦୨୧କୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପ୍ରସ୍ତାବିତ ଓଡ଼ିଶା ଭେଷଜ ନିୟନ୍ତ୍ରଣ (ପ୍ରଶାସନ, ନିଯୁକ୍ତି ତଥା ସେବା ସର୍ତ୍ତାବଳୀ) ନିୟମ ୨୦୨୦କୁ ରାଜ୍ୟ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି।
ରାଜ୍ୟସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ ପାଇଁ ୩୫୫.୩୮ କୋଟି ଚଙ୍କାର ବ୍ୟୟବରାଦ ହୋଇଛି। ଏଥିରେ କଳିଙ୍ଗ ଷ୍ଟାଡିୟମର ଭିଭିଭୂମି ବିକାଶ ଓ ରାଉରକେଲାରେ ନୂତନ ହକି ଷ୍ଟାଡିୟମର ନିର୍ମାଣ କରାଯିବ। ଏହି ହକି ଷ୍ଟାଡିୟମରେ ଏଫଆଇଏଚ୍ ପୁରୁଷ ବିଶ୍ୱକପ୍ ହକି ୨୦୨୩ ଆୟୋଜନ ହେବ। ସେହିପରି ବେସରକାରୀ ଡିଲରଙ୍କ ଦ୍ୱାରା ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସୂଚାରୁ ରୂପେ ଚାଲୁକରିବା ପାଇଁ ଓଡ଼ିଶା ସାଧାରଣ ବଣ୍ଟନ ବ୍ୟବସ୍ଥା (ନିୟନ୍ତ୍ରଣ) ଆଦେଶ, ୨୦୧୬ର ଧାରା ୪ (୬)ରେ ନିର୍ଦ୍ଧାରିତ ସମୟସୀମାର ଅବଧି ୫ ବର୍ଷରୁ ୫ ବର୍ଷ ୬ ମାସକୁ ବୃଦ୍ଧି କରାଯାଇଛି। ଗ୍ରୀଡକୋ ସୁବିଧାରେ ବ୍ୟାଙ୍କ ଋଣ ପାଇବା ପାଇଁ ୨୦୧୯-୨୦ରେ ଦିଆଯାଇଥିବା ୧୫୦୦ କୋଟି ଟଙ୍କା ଏବଂ ୨୦୨୦-୨୧ରେ ୨୬୦୦ କୋଟି ଟଙ୍କାର ବ୍ୟାଙ୍କ୍ ଗ୍ୟାରେଣ୍ଟିର ଅବଧି ୨ ବର୍ଷର ମୋରାଟୋରିୟମ ସହିତ ୫ ବର୍ଷରୁ ୭ ବର୍ଷକୁ ବୃଦ୍ଧି ହୋଇଛି। ଓଡ଼ିଶା ବସ୍ତିବାସିନ୍ଦା ଭୂମି ଅଧିକାର ଅନିୟମ-୨୦୧୭ର ଧାରା -(୩), ଉପଧାରା -(୨) ବିଭାଗ (କ) ଅନ୍ତର୍ଗତ ପ୍ରାବଧାନ-୨ରେ ସଂଶୋଧନ କରାଯାଇ ବସ୍ତିବାସିନ୍ଦାଙ୍କୁ ଅନ୍ୟୁନ ୩୦ ବର୍ଗମିଟର ଜମି ଉପରେ ଅଧିକାର ପ୍ରଦାନ କରାଯିବ। ସମ୍ପ୍ରତି ରାଜ୍ୟର ଗୃହ ନିର୍ମାଣ ଚାହିଦା ପୂରଣ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ବୋର୍ଡର ପୁନର୍ବିନ୍ୟାସ ଏବଂ ସଶକ୍ତୀକରଣ ଲକ୍ଷ୍ୟରେ ଓଡ଼ିଶା ହାଉସିଂ ବୋର୍ଡ ଅଧିନିୟମ ୧୯୬୮ର କେତେକ ନିୟମାବଳୀକୁ ସଂଶୋଧନ କରାଯାଇଛି।

ଅନ୍ୟପକ୍ଷରେ ବିଳମ୍ବିତ କିସ୍ତି ପ୍ରଦାନ ଯୋଗୁଁ ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା ଉପରେ ଧାର୍ଯ୍ୟ ହୋଇଥିବା ୯୯୪.୫୯ ଲକ୍ଷ ଟଙ୍କାର ସୁଧ ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୁପକ୍ଷଙ୍କ ଉପରେ ଧାର୍ଯ୍ୟ ୧୯୨୦.୮୮ ଲକ୍ଷ ଟଙ୍କାର ସୁଧ ଛାଡ଼ ସହିତ ଉଭୟ କର୍ତ୍ତୃପକ୍ଷ ଗୃହ ହସ୍ତାନ୍ତରଣ ବା ଆବଣ୍ଟନ ସମୟରେ ବକେୟା ରହିଥିବା ୫୬୬.୫୨ ଲକ୍ଷ ଟଙ୍କା ପରିଶୋଧ କରିବା ପାଇଁ କ୍ୟାବିନେଟ୍ ମଞ୍ଜୁରି ମିଳିଛି। ଖଣି ପରିଚାଳନାରେ ଦ୍ରୁତ ପରିବର୍ତ୍ତନ ସହିତ ବେନିୟମ ଖଣି କାରବାର ବୃଦ୍ଧି ପାଇବା ଆଶଙ୍କାକୁ ସଠିକ ଭାବରେ ପ୍ରତିହିତ କରାଯିବା ନିମନ୍ତେ ରହିଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିିଶା ଖଣିଜ ପଦାର୍ଥ ଚୋରି, ଚୋରା ଚାଲାଣ ଏବଂ ବେଆଇନ କାରବାର ନିବାରଣ ଏବଂ ଦଖଲ ମହଜୁଦକରଣ, ବ୍ୟବସାୟ ଓ ପରିବହନ ନିୟନ୍ତ୍ରଣ ନିୟମ-୨୦୦୭ର ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି।