ଭାରତରେ ଚଳିତ ମାସ ଆରମ୍ଭ ହେବ କରୋନା ଭ୍ୟାକ୍ସିନ ‘ସ୍ପୁଟନିକ-ଭି’ର କ୍ଲିନିକାଲ ଟ୍ରାଏଲ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ କରୋନା ଜାଲରେ ଫସିଥିବାବେଳେ ଭାରତ ସମେତ ଅନ୍ୟ କିଛି ଦେଶରେ ଋଷର କରୋନା ଭ୍ୟାକ୍ସିନ ‘ସ୍ପୁଟନିକ-ଭି’ର କ୍ଲିନିକାଲ ଟ୍ରାଏଲ ଚଳିତ ମାସ ଆରମ୍ଭ ହେବାକୁ ଯାଉଛି। ଋଷିୟାନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ୍)ର ସିଇଓ କିରିଲ ଦିମିତ୍ରେବ ଏନେଇ ସୂଚନା ପ୍ରଦାନ କରିଛନ୍ତି। ଦିମିତ୍ରେବଙ୍କ କହିବାନୁସାରେ, ସାଉଦି ଆରବ, ସଂଯୁକ୍ତ ଆରବ ଅମୀରାତ, ଫିଲିପିନ୍ସ, ଭାରତ ଓ ବ୍ରାଜିଲରେ ‘ସ୍ପୁଟନିକ-ଭି’ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ଚଳିତ ମାସ ଆରମ୍ଭ ହେବ। ଭାରତରେ ‘ସ୍ପୁଟନିକ-ଭି’ର ସ୍ଥାନୀୟ ଉତ୍ପାଦନକୁ ନେଇ ଋଷ ଭାରତ ସରକାର ଓ ଦେଶର ପ୍ରମୁଖ ଔଷଧ କମ୍ପାନୀ ସହ ଆଲୋଚନା କରୁଛନ୍ତି।

ଦିମିତ୍ରେବ ଆହୁରି କହିଛନ୍ତି କି, ଭାରତ ଐତିହାସିକ ରୂପେ ଋଷର ପ୍ରମୁଖ ପାର୍ଟନର। ଉତ୍ପାଦନ ମାମଲାରେ ବିଶ୍ୱର ପ୍ରମୁଖ ଦେଶଙ୍କ ମଧ୍ୟରେ ଭାରତ ଅନ୍ୟତମ। ଦୁନିଆରେ ଉତ୍ପାଦିତ ହେଉଥିବା ୬୦ ପ୍ରତିଶତ ଭ୍ୟାକ୍ସିନ ଭାରତରେ ଉତ୍ପାଦିତ ହୋଇଥାଏ। ଆମେ ଭାରତ ସରକାର, ସମ୍ବୋଧିତ ମନ୍ତ୍ରଣାଳୟ ଓ ଭାରତର ଶୀର୍ଷ ଉତ୍ପାଦନ କମ୍ପାନୀଙ୍କ ସହ ଆଲୋଚନା କରୁଛୁ।