ବଦଳିବ ପାଗ: ତାତିରୁ ମିଳିପାରେ ଆଶ୍ୱସ୍ତି, ଆସନ୍ତାକାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ତାତିରେ ଛଟପଟ ହେଉଛନ୍ତି ଓଡିଶାବାସୀ। ମାତ୍ର ଏବେ ପାଗରେ ପରିବର୍ତ୍ତନ ଆସିପାରେ। ୩ ତାରିଖରୁ ପାଗ ସାମାନ୍ୟ ବଦଳିବ। ୩ ଓ ୪ ତାରିଖରେ ରାଜ୍ୟର ତାପମାତ୍ରା ହ୍ରାସ ହେବ। ଏହାସହିତ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

୩ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ରାୟଗଡା, ଗଜପତି ଓ କୋରାପୁଟ ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ୪ତାରିଖରେ ଉତ୍ତର ଓଡିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ସେପଟେ ଶୁକ୍ରବାର ମୋଟ ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟଲାଗଡ, ବଲାଙ୍ଗୀର ଓ ବୌଦ୍ଧ ପରେ ଭବାନୀପାଟଣାରେ ୪୦.୫, ଝାରସୁଗୁଡାରେ ୪୦.୫, ସୋନପୁରରେ ୪୦.୪, ତାଳଚେରରେ ୪୦.୨ ଓ ସୁନ୍ଦରଗଡରେ ୪୦ ଡିଗ୍ରୀ ରେକର୍ଡ ହୋଇଛି।