ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଗସ୍ତ ଓ କୋଭିଡ୍ ସ୍ଥିତି ସମୀକ୍ଷା

ସମ୍ବଲପୁର, ଏନ୍ଏନ୍ଏସ୍: ରାଜ୍ୟର ସୀମାବତ୍ତୀ ଜିଲ୍ଲା ମାନଙ୍କରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରଦୀପ୍ତ କୁମାର ମହାପାତ୍ର ଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ପଶ୍ଚିମ ଓଡିଶା ଗସ୍ତରେ ଆସି ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା ଜିଲ୍ଲା ର କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚସ୍ତରୀୟ ଟିମ୍ ଭୀମସାର୍ କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରିବା ସହିତ ସେଠାରେ ଉପଲବ୍ଧ ଚିକିତ୍ସା ବ୍ୟବସ୍ଥା, ଉପକରଣ , ଔଷଧ ପତ୍ର ଆଦି ବିଷୟରେ ସମୀକ୍ଷା କରିଛନ୍ତି। ଭୀମସାରସ୍ଥିତ ଭେଷଜ ୱାର୍ଡର ନୂତନ ବିଲ୍ଡିଂକୁ ୩୦୦ ବେଡ୍ ବିଶିଷ୍ଟ ଅତିରିକ୍ତ କୋଭିଡ୍ ହସ୍ପିଟାଲ୍ କରିବାପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୨୫୦ ବେଡ୍ ଏବଂ ୫୦ ଟି ଆଇସିୟୁ ବେଡ୍ ବ୍ୟବସ୍ଥା କରିବା ନିମନ୍ତେ ନିଷ୍ପତି ହୋଇଥିଲା। ରୋଗୀମାନଙ୍କ ପାଇଁ ଅକ୍ସିଜେନ ସୁବିଧା ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ୧୦ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଭୀମସାର ଠାରେ ପୂର୍ବରୁ ଥିବା କୋଭିଡ୍ ହସ୍ପିଟାଲ୍ ରେ ବେଡ୍ ଓ ଆଇସିୟୁ ସଂଖ୍ୟାକୁ ଯଥାକ୍ରମେ ୧୭୫ ଓ ୫୦କୁ ବୃଦ୍ଧି କରାଯିବାକୁ ନିଷ୍ପତି ନିଆଯାଇଥିଲା। ଏହିପରି ଭାବେ ଭୀମସାର୍ କୋଭିଡ୍ ହସ୍ପିଟାଲ୍ କ୍ଷମତାକୁ ମୋଟ୍ ୫୨୫ ବେଡ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।

ଏହି ଗସ୍ତ ସମୟରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା.ବିଜୟ କୁମାର ମହାପାତ୍ର, ଡିଏମ୍ ଇ ଟି ନିର୍ଦ୍ଦେଶକ ଡା. ସିବିକେ ମହାନ୍ତି, ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକସେନା, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ , ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ସମେତ ଏହି ଜିଲ୍ଲାମାନଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କ୍ଷେତ୍ର ସ୍ତରୀୟ ସ୍ଥିତି ଓ ତଥ୍ୟ ଉପସ୍ଥାପନ କରିଥିଲେ।