ବେଳାଭୂମି ପ୍ରଦୂଷଣ ଉପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରକାଶିତ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ମୁଖ୍ୟ ଶାସନ ସଚିବ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ବୋର୍ଡ ପକ୍ଷରୁ ପ୍ରସ୍ତୁତ ‘ଏ ପାଇଲଟ୍‌ ଷ୍ଟଡି ଅନ୍‌ ବିଚ୍‌ ଲିଟର ପଲୁ୍ୟସନ୍‌: ପାରାଦୀପ ୨୦୧୯-୨୦’ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି। ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଏହି ଉପକ୍ରମ ଭବିଷ୍ୟତରେ ଆମ ରାଜ୍ୟର ବିସ୍ତୀର୍ଣ୍ଣ ବେଳାଭୂମି ସବୁକୁ ପଲିଆରୋମାଟିକ୍‌ ହାଇଡ୍ରୋକାର୍ବନ୍‌, ହେଭି ମେଟାଲ୍‌, ମାଇକ୍ରୋପ୍ଲାଷ୍ଟିକ ଭଳି ବିଭିନ୍ନ ବର୍ଜ୍ୟବସ୍ତୁ ଦ୍ୱାରା ସଂକ୍ରମିତ ହେବାରୁ ରକ୍ଷା କରିବାରେ ସହାୟକ ହେବ। ଏହି ପୁସ୍ତକକୁ ପ୍ରସ୍ତୁତ କରିଥିବା ସମସ୍ତ ଲେଖକଙ୍କୁ ଅଭିନନ୍ଦନ ଜଣାଇ ସମନ୍ୱିତ ବେଳାଭୂମି ପରିଚାଳନା କାର୍ଯ୍ୟକ୍ରମ ଜରିଆରେ ଏଭଳି ଆହୁରି ଅଧିକ ଉପାଦେୟ ପୁସ୍ତକ ପ୍ରକାଶନ ନିମନ୍ତେ ଏହା ମାର୍ଗଦର୍ଶନ ଦେବ ବୋଲି ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି।

ଡ. କେ. ମୁରୁଗେସନ୍‌, ଶ୍ରୀ ଏନ୍‌. ମଲ୍ଲିକ, ଡ. ଏସ୍‌.ଏସ୍‌. ପତି, ଡ. ଏସ୍‌.ଡି. ଶର୍ମା, ଶ୍ରୀ ବି.ଏସ୍‌. ପଣ୍ଡା, ଡ. ଏସ୍‌. ମିଶ୍ର, ଡ. ଏସ୍‌. ନାୟକ, ଇଂ. ବି. ଷଡଙ୍ଗୀ ଏବଂ ଶ୍ରୀ ଏସ୍‌.କେ. ମହାନ୍ତି ଓଡ଼ିଶା ଉପକୂଳସ୍ଥ ପାରାଦୀପ ପରି ଶିଳ୍ପ ସମୃଦ୍ଧ ସହରର ବେଳାଭୂମି ପ୍ରଦୁଷଣ ଉପରେ ରାଜ୍ୟ ତଥା ଦେଶରେ ପ୍ରଥମ ଥର ପାଇଁ ପ୍ରକାଶିତ ଏହି ପୁସ୍ତକରେ ପ୍ରଦୂଷଣର ସମ୍ଭାବ୍ୟ ପ୍ରଭାବ ଓ ଏହାର ପରିଚାଳନା ଉପରେ ଗବେଷଣାଲବ୍ଧ ତଥ୍ୟ ଉପସ୍ଥାପନ କରିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୧୩ ମସିହାରୁ ଏହାର ବେଳାଭୂମି ପରିଚାଳନା କେନ୍ଦ୍ର (ସିଏମ୍‌ସି) ଜରିଆରେ ସମନ୍ୱିତ ବେଳାଭୂମି ପରିଚାଳନା କାର୍ଯ୍ୟକ୍ରମ ଜାରି ରଖିଛି ଏବଂ ଏ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ହାସଲ କରିଛି।

ପୁସ୍ତକ ଉନ୍ମୋଚନ ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡ. କେ. ମୁରୁଗେସନ୍‌ ପ୍ରମୁଖ ଉପସ୍ଥିତ ଥିଲେ।