ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା, ଅଧିକ ସଂକ୍ରମିତ ଜିଲ୍ଲାରେ ନିୟମ କଡ଼ାକଡ଼ି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି। ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲା ଉପରେ ବିଶେଷ ଧ୍ୟାନ ଦେବା ସହ କଡ଼ାକଡ଼ି ନିୟମ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟରେ ସଂକ୍ରମଣ ହାର ୫ ପ୍ରତିଶତ ଥିଲେ ମଧ୍ୟ କେତେକ ଜିଲ୍ଲାରେ ଅଧିକ ସଂକ୍ରମଣକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏଥିସହ ଘରଘର ବୁଲି ସର୍ଭେ କାର୍ଯ୍ୟକ୍ରମ ଦ୍ୱାରା ରୋଗୀ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଉଥିବାରୁ ଖୁସିବ୍ୟକ୍ତ କରିବା ସହ ଏପରି କାର୍ଯ୍ୟକ୍ରମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିଦେଇ ଶିଶୁରୋଗ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା ତଥା ଏସମ୍ପର୍କିତ ଡାକ୍ତରଙ୍କ ତାଲିମକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଡାକ୍ତରଖାନାରେ ଅକ୍ସିଜେନ ପ୍ଲାଣ୍ଟ ଯେପରି ଠିକ ସମୟରେ କାର୍ଯ୍ୟକାରୀ ହୋଇପାରିବ, ତାହା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଟିକାକରଣ କେନ୍ଦ୍ରରେ ବିଭିନ୍ନ ସୁବିଧା ପାଇଁ ଜିଲ୍ଲାପାଳମାନେ ବ୍ୟକ୍ତିଗତଭାବେ ଦୃଷ୍ଟିଦେବାକୁ ପରାମର୍ଶ ଦେଇଥିଲେ।