କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ ଅସୁବିଧା ନାହିଁ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓୟୁଏଟିର ଭୁବନେଶ୍ୱର ସ୍ଥିତ କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଲାଗିବା ପରିପ୍ରେକ୍ଷୀରେ ଲୋକମାନେ ଆଶଙ୍କା ମଧ୍ୟରେ ଥାଇ କୁକୁଡ଼ା ମାଂସ ଓ ଅଣ୍ଡା ଖାଉନାହାନ୍ତି। କିନ୍ତୁ ଏଥିପାଇଁ କୌଣସି ଆଶଙ୍କା ସୃଷ୍ଟି ହେବା ଉଚିତ ନୁହେଁ। କୁକୁଡ଼ା ଅଣ୍ଡା ଓ ମାଂସ ଖାଇବାରେ କୌଣସି ଅସୁବିଧା ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରକାଶ ଥାଉ କି, ସରକାରଙ୍କ ତରଫରୁ ଓୟୁଏଟି କୁକୁଡ଼ା ଫାର୍ମ ଓ ଏହାର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ସମସ୍ତ କୁକୁଡ଼ା ଓ ବତକକୁ ମାରି ପୋତିଦିଆଯିବା ସାଙ୍ଗକୁ ଉପଲବ୍ଧ ଅଣ୍ଡା ଓ କୁକୁଡ଼ା ଖାଦ୍ୟକୁ ମଧ୍ୟ ନଷ୍ଟକରି ପୋତି ଦିଆଯାଇଛି।

ଓୟୁଏଟି କୁକୁଡ଼ା ଫାର୍ମର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ବିଶୋଧକ ପ୍ରୟୋଗ କରାଯାଇଛି। ଓୟୁଏଟି କୁକୁଡ଼ା ଫାର୍ମକୁ ସିଲ କରାଯାଇଛି ଓ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀଙ୍କ ତରଫରୁ ୪ ଫେବୃଆରୀ ୨୦୨୦ ଦିନ ‘ଜୀବାଣୁମୁକ୍ତ ପ୍ରମାଣପତ୍ର’ ପ୍ରଦାନ କରାଯାଇଛି। ତେଣୁ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବାରେ କୌଣସି ପ୍ରତିବନ୍ଧକ ନାହିଁ। କୁକୁଡ଼ା ମାଂସ ଓ ଅଣ୍ଡାକୁ ଭଲ ଭାବେ ସିଝାଇ ଖାଇଲେ କୌଣସି ଭୟ ରହିବ ନାହିଁ। ୭୦ ସେଲସିଅସ ତାପମାତ୍ରାରେ ୩୦ ମିନିଟ ପର୍ଯ୍ୟନ୍ତ ସିଝାଇଲେ ବାର୍ଡ ଫ୍ଲୁ (ଏଚ୫ ଏନ୧) ଭୂତାଣୁ ନଷ୍ଟ ହୋଇଯାଏ। ଏତଦବ୍ୟତୀତ ୨୮ ଜାନୁଆରୀ ୨୦୨୦ରୁ ଏପର୍ଯ୍ୟନ୍ତ ଓୟୁଏଟି କୁକୁଡ଼ା ଫାର୍ମର ଏକରୁ ଦଶ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ କୌଣସି କୁକୁଡ଼ା ବା କୁକ୍କୁଟଜାତୀୟ ପକ୍ଷୀଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇନାହିଁ। ତେଣୁ ଲୋକମାନେ ଆଶଙ୍କାଗ୍ରସ୍ତ ନହୋଇ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଜାରି ରଖିପାରିବେ।