ଅଧକୋଟିର ବ୍ରାଉନସୁଗର ଜବତ : ୨ ଗିରଫ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ରାଜଧାନୀରେ ବରମୁଣ୍ଡା ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ଏସଟିଏଫ୍ (ସ୍ପେଶାଲ ଟାସ୍କ ଫୋର୍ସ) ଟିମ୍ ବିପୁଳ ପରିମାଣରେ ବ୍ରାଉନସୁଗର ଜବତ କରିଛି। ଏହାସହ ଏହି କାରବାରରେ ସମ୍ପୃକ୍ତ ଥିବା ୨ଜଣ ନିଶାମାଫିଆଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ାବଜାର ଗ୍ରାମର ସେଖ୍ ସାରୁକ ଓ ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ସୁନାହାଟ ଅଞ୍ଚଳର ସଞ୍ଜୀବ କୁମାର ଦେହୁରୀ। ଏମାନଙ୍କ ଠାରୁ ଏସ୍ଟିଏଫ୍ ୪୦୫ ଗ୍ରାମ ବ୍ରାଉନସୁଗର ଜବତ କରିଛି। ଯାହାର ବଜାର ମୂଲ୍ୟ ପାଖାପାଖି ୫୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏନେଇ ଏସଟିଏଫ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି।

ଅଭିଯୁକ୍ତ ସାରୁକ ଓ ସଞ୍ଜୀବ ଦୁହେଁ ବାଲେଶ୍ୱର ଜିଲ୍ଲାର ପୁରୁଣା ବ୍ରାଉନସୁଗର ବେପାରୀ ଅଟନ୍ତି। ଏମାନେ ଜଳେଶ୍ୱର, କୋଲକାତା, ମୁର୍ଶିଦାବାଦ ଓ ଖଡ଼ଗପୁର ଅଞ୍ଚଳରୁ ବ୍ରାଉନସୁଗର ଆଣନ୍ତି। ଏହାପରେ ରାଜଧାନୀର ବସ୍ତି ଗୁଡ଼ିକରେ ଥିବା ନିଶାମାଫିଆଙ୍କୁ ଯୋଗାଯୋଗ କରି ସେମାନଙ୍କୁ ବିକ୍ରି କରନ୍ତି। ଏମିତିକି ଅନ୍ୟ ବେପାରୀଙ୍କ ତୁଳନାରେ ଏମାନେ ବ୍ରାଉନସୁଗର ଶସ୍ତାରେ ଯୋଗାଉଥିବା ମଧ୍ୟ ସୂଚନା ମିଳିଛି। ସଞ୍ଜୀବ ଓ ସାରୁକ ମୋବାଇଲ ଯୋଗେ ଅର୍ଡର ନେଇ ସପ୍ତାହକୁ ୨ଥର ବ୍ରାଉନସୁଗର ବିକ୍ରି କରିବା ପାଇଁ ଆସିଥାନ୍ତି।