ନିଶାଦ୍ରବ୍ୟ ଜବତ ଘଟଣା: ୬ ପାକିସ୍ତାନୀଙ୍କ ସମେତ ୭ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ,ଏଜେନ୍ସି: ଗୁଜୁରାଟରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିବା ସହ ୬ ପାକିସ୍ତାନୀଙ୍କ ସମେତ ୭ ଜଣଙ୍କ ନାଁରେ ମାମଲା ରୁଜୁ କଲା ଜାତୀୟ ଗୁଇନ୍ଦା ବିଭାଗ (ଏନଆଇଏ)। ଏମାନଙ୍କ ନିକଟରୁ ୨୩୭ କେଜିର ନିଶାଦ୍ରବ୍ୟ ଜବତ କରାଯାଇଛି। ଶୁକ୍ରବାର ଦିନ ଅହମ୍ମଦାବାଦର ଜାତୀୟ ଗୁଇନ୍ଦା ଏଜେନ୍ସି (ଏନଆଇଏ) କୋର୍ଟରେ ଏହି ଚାର୍ଜସିଟ ଦାଖଲ କରାଯାଇଥିଲା। ଏନେଇ ସଂସ୍ଥାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଏନଆଇଏ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତିମାନେ ହେଲେ ସଫଦର ଅଲି, ଆଲାହି ଦାଦ ଅଙ୍ଗିଆରା, ଅଜିମ ଖାନ, ଅବଦୁଲ ଅଜିଜ, ଅବଦୁଲ ଗଫୁର, ମୋହମାଦ ମଲାହ। ଏମାନେ ସମସ୍ତେ ପାକିସ୍ତାନର କରାଚୀର ବୋଲି ଜଣାପଡିଛି। ଏହାସହ ଗୁଜୁରାଟର ଦ୍ବାରକା ଅଞ୍ଚଳର ଜଣେ ଭାରତୀୟଙ୍କ ନାମ ମଧ୍ୟ ଏଥିରେ ସାମିଲ ଅଛି।

ତେବେ ସମସ୍ତ ୭ ଜଣ ସନ୍ଦିଗ୍ଧଙ୍କୁ ଭାରତୀୟ ଦଣ୍ଡ ସଂହିତାର ନିଶା କାରବାର ନିରୋଧ ଅଧିନିୟମ ଏବଂ ନାର୍କୋଟିକ୍ ଡ୍ରଗ୍ସ ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଚାର୍ଜସିଟ କରାଯାଇଥିବା ଏନଆଇଏ କହିଛି। ଘଟଣା ଅନୁସାରେ ଗୁଜୁରାଟର କଚ୍ଛ ଉପକୂଳର ଜାଖା ବନ୍ଦର ନିକଟରେ ପାକିସ୍ତାନୀ ଜାହାଜ ଅଲ-ମଦିନା ଠାରୁ ୨୩୭ କିଲୋଗ୍ରାମ ନିଶା ଦ୍ରବ୍ୟ ଜବତ କରିଥିଲା ଭାରତୀୟ କୋଷ୍ଟ ଗାର୍ଡ।