ସଙ୍କେତ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇପାରେ ଦିନ କର୍ଫ୍ୟୁ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପୁଣି ଦିନକର୍ଫ୍ୟୁ ସଙ୍କେତ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ। କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦରକାର ପଡ଼ିଲେ ଦିନରେ କର୍ଫ୍ୟୁ କରାଯିବ। ସୀମାବର୍ତ୍ତୀ ଅଞ୍ଚଳରେ ପର୍ଯ୍ୟବେକ୍ଷକ ଗସ୍ତକରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଟେଷ୍ଟିଂ କେମିତି ବଢ଼ିବ ତା ଉପରେ ଗୁରୁତ୍ୱ ଦିଆଯାଉଛି। ସ୍କୁଲ, ବିମାନବନ୍ଦର ଓ ରେଳ ଷ୍ଟେସନରେ ସଂକ୍ରମଣ ବଢ଼ିଲାଣି। ସେଥିପାଇଁ ଆମକୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଦରକାର ପଡ଼ିଲେ ଜିଲ୍ଲାପାଳମାନେ ନାଇଟ୍ କର୍ଫ୍ୟୁ କରିପାରିବେ। ରିପୋର୍ଟ ପଠାଇ ସରକାରଙ୍କଠୁ ଅନୁମତି ନେଇପାରିବେ। ଅନ୍ୟପକ୍ଷରେ କରୋନା ସଂକ୍ରମଣର ମାତ୍ରା ବଢ଼ୁଥିବା ହେତୁ ରାଜ୍ୟରେ ସଚେତନତା ବ୍ୟବସ୍ଥା ପୁରା କଡ଼ାକଡ଼ି କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଯେଉଁମାନେ ଛତିଶଗଡ଼ରୁ ଆସୁଛନ୍ତି ସେମାନଙ୍କ ଟେଷ୍ଟିଂ ଓ ଟ୍ରେସିଂ କରାଯାଉଛି। ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଆଲର୍ଟ ଅଛନ୍ତି। ଜିଲ୍ଲାପାଳଙ୍କୁ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଯେଉଁ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସଂକ୍ରମଣ ବଢୁଛି ସେଠୀ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ସିଡିଏମଓ ଏବଂ ଜିଲ୍ଲାପାଳଙ୍କୁ କୁହାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।