କୁଳପତିଙ୍କ ’ୟୁଏସ୍‌ବିଏମ୍‌’ କଲେଜ ପରିଦର୍ଶନ, ବିଭିନ୍ନ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମକୁ କଲେ ପ୍ରଶଂସା

ଭୁବନେଶ୍ବର,ଏନ୍ଏନ୍ଏସ୍: ମଙ୍ଗଳବାର ଦିନ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡ. ଚିତ୍ତରଞ୍ଜନ ତ୍ରିପାଠୀ ୟୁଏସ୍‌ବିଏମ୍‌ କଲେଜ ପରିଦର୍ଶନ କରିଥିଲେ। ଭୁବନେଶ୍ବରର ଅଗ୍ରଣୀ ମ୍ୟାନେଜମେଣ୍ଟ କଲେଜ ୟୁନାଇଟେଡ୍‌ ସ୍କୁଲ୍‌ ଅଫ୍ ବିଜନେସ୍‌ ମ୍ୟାନେଜମେଣ୍ଟ୍‌ ପରିସରରେ କୁଳପତି ଡ. ତ୍ରିପାଠୀ ଛାତ୍ରଛାତ୍ରୀମାନଙ୍କ ସହିତ ଶିକ୍ଷା ଓ ଏହାର ବ୍ୟବହାରିକ ଉପଯୋଗିତା ସମ୍ପର୍କରେ ଆଲୋଚନା କରିଥିଲେ।

ଶିକ୍ଷା ସହିତ ବ୍ୟକ୍ତିର ସର୍ବାଙ୍ଗୀନ ଗୁଣାତ୍ମକ ଶିକ୍ଷା ଉପରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ମ୍ୟାନେଜମେଣ୍ଟ ଶିକ୍ଷାର ପରିସର ଓ ଗୁଣବତ୍ତା ବୃଦ୍ଧି ଏବଂ ଏହାକୁ ବଜାୟ ରଖିବାକୁ ୟୁଏସ୍‌ବିଏମ୍‌ରେ ନିଆଯାଇଥିବା ବିଭିନ୍ନ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମକୁ କୁଳପତି ଉଚ୍ଚ ପ୍ରଶଂସା କରିଥିଲେ। ନିଜେ ଅନୁସନ୍ଧିସୁ ହେବା ସହିତ ଛାତ୍ରଛାତ୍ରୀମାନଙ୍କୁ ସେ ଦିଗରେ ପ୍ରେରଣା ଦେବାପାଇଁ ଉପଦେଶ ଦେଇଥିଲେ।

ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୌମ୍ୟକାନ୍ତ ବଳବନ୍ତ ରାୟ, ଉପଦେଷ୍ଟା ଡ. କାହ୍ନୁଚରଣ ସ୍ବାଇଁ ଓ ଅଧ୍ୟକ୍ଷ ଡ. ସଂଜୀବ କୁମାର ଦାସ କୁଳପତିଙ୍କୁ ପ୍ରାରମ୍ଭିକ ସ୍ବାଗତ ଜଣାଇବା ସହିତ ଅନୁଷ୍ଠାନ ସମ୍ପର୍କରେ ଅବଗତ କରାଇଥିଲେ। ଏଥିରେ ୟୁଏସ୍‌ବିଏମ୍‌ର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ରହି କୁଳପତିଙ୍କ ଗସ୍ତକୁ ସଫଳ କରିଥିଲେ ବୋଲି ଅନୁଷ୍ଠାନର ବରିଷ୍ଠ ଅଧ୍ୟାପକ ପ୍ରଫେସର କୈଳାସ ଚନ୍ଦ୍ର ନାୟକ ଜଣାଇଛନ୍ତି।