‘ସିଇଟି’କୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜଧାନୀ ଭୁବନେଶ୍ୱରରେ ଥିବା କଲେଜ୍ ଅଫ୍ ଇଂଜିନୟରିଂ ଆଣ୍ଡ ଟେକ୍ନୋଲୋଜି ବା ‘ସିିଇଟି’ ହେବ ଏକକ ବିଶ୍ୱବିଦ୍ୟାଳୟ। ଏହାର ନାମ ବଦଳିବ। ନୂଆ ନାମ ହେବ ଓଡ଼ିଶା ଟେକ୍ନୋଲୋଜି ଓ ଗବେଷଣା ବିଶ୍ୱବିଦ୍ୟାଳୟ ବା ‘ଓୟୁଟିଆର୍‌’। ଫଳରେ ବିଶ୍ୱବିଦ୍ୟାଳୟ ଦକ୍ଷତା ବିକାଶ ଓ ଶିଳ୍ପ ତାଲିମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବା ସହିତ ରାଜ୍ୟର ଯୁବବର୍ଗଙ୍କ ନିଯୁକ୍ତି କ୍ଷେତ୍ରରେ ଉନ୍ନତି ପାଇଁ ମଧ୍ୟ ସହାୟତା ପ୍ରଦାନ କରିବ।

ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏଥି ସମ୍ପର୍କିତ ପ୍ରସ୍ତାବଟି ଅନୁମୋଦନ ଲାଭ କରିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିକୁ ଏକ ଅଣ-ଅନୁବନ୍ଧିତ ଏକକ ବିଶ୍ୱବିଦ୍ୟାଳୟ ସ୍ତରକୁ ଉନ୍ନୀତ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ନୂଆ ଆଇନ ପ୍ରଣୟନ ହେବ। ‘ସିଇଟି’ର ନାମ ପରିବର୍ତ୍ତନ ହୋଇ ‘ଓଡ଼ିଶା ଟେକ୍ନୋଲୋଜି ଏବଂ ରିସର୍ଚ ବିଶ୍ୱବିଦ୍ୟାଳୟ(ଓୟୁଟିଆର୍‌) କରାଯିବ। ପ୍ରସ୍ତାବିତ ନୂଆ ବିଶ୍ୱବିଦ୍ୟାଳୟ ସ୍ନାତକ, ସ୍ନାତକୋତ୍ତର ଶିକ୍ଷା ତଥା ପିଏଚ୍‌ଡି ଶିକ୍ଷା କ୍ଷେତ୍ରରେ ନୂତନ ସୁଯୋଗ ପ୍ରଦାନ କରିବାରେ ସକ୍ଷମ ହେବ। ଏହି ବିଶ୍ୱବିଦ୍ୟାଳୟ ଇଞ୍ଜିନିୟରିଂ, ସାଇନ୍ସ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ତଥା ଅନୁସନ୍ଧାନ, ସୂଚନା ପ୍ରଯୁକ୍ତିବିଦ୍ୟା ଓ ତା’ର ପ୍ରୟୋଗ, ତାଲିମ, ଅନୁସନ୍ଧାନ ବିସ୍ତାର କରିବାରେ ସହାୟକ ହେବ।

ଶ୍ରୀ ମହାପାତ୍ର କହିଥିଲେ, ଓୟୁଟିଆର୍ ବିଶ୍ୱବିଦ୍ୟାଳୟ ଶୈକ୍ଷିକ, ଅନୁସନ୍ଧାନ ସମ୍ପ୍ରଦାୟ ଓ ଶିଳ୍ପ ମାନଙ୍କ ମଧ୍ୟରେ ସହଯୋଗ ଏବଂ ପାରସ୍ପରିକ ସମ୍ପର୍କ ବୃଦ୍ଧି କରିବାରେ ଏକ ‘ଉତ୍କର୍ଷ କେନ୍ଦ୍ର’ ଭାବରେ କାର୍ଯ୍ୟ କରିବ। ଏହାର ଦ୍ୱାରା ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀ ସମୂହ ସହିତ ଦୀର୍ଘମିଆଦୀ ସମ୍ପର୍କ ପାଇଁ ବୁଝାମଣା ପତ୍ର ବା ଏମଓୟୁ ଚୁକ୍ତି କରିବାର ସୁଯୋଗ ସୃଷ୍ଟିହେବ। ଏହି ବିଶ୍ୱବିଦ୍ୟାଳୟ ଦ୍ୱାରା ଦକ୍ଷତା ବିକାଶ ସମ୍ଭବ ହେବ। ରାଜ୍ୟର ଯୁବବର୍ଗଙ୍କ ନିଯୁକ୍ତି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବା ସହିତ ଶିଳ୍ପ ତାଲିମ କ୍ଷେତ୍ରରେ ମଧ୍ୟ ସୁଯୋଗ ରହିବ। ଓଡ଼ିଆ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେଇ ପାରିବେ।

ଶ୍ରୀ ମହାପାତ୍ର ପୁଣି କହିଥିଲେ, କଲେଜକୁ ବିଶ୍ୱବିଦ୍ୟାଳୟରେ ନବୀକରଣ କରିବା ଦ୍ୱାରା ରାଜ୍ୟ, ଦେଶ ତଥା ବିଦେଶର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସହିତ ଅଭିଜ୍ଞତା ଆଦାନ ପ୍ରଦାନ କରାଯାଇପାରିବ। ସେହିଭଳି ଉଚ୍ଚଶିକ୍ଷା ଓ ଅନୁସନ୍ଧାନ ପାଇଁ ନୂତନ ଦ୍ୱାର ଉନ୍ମୁକ୍ତ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ।