ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଲା ଭାରତୀୟ ସେନା: ୫ ପାକିସ୍ତାନୀ ଯବାନ ମୃତ

ଶ୍ରୀନଗର,ଏଜେନ୍ସି: ଚେତୁନି ପାକିସ୍ତାନ। ସୀମାରେ ଜାରି ରଖିଛି ଅସ୍ତ୍ରବିରତି ଉଲ୍ଲଂଘନ। ଏହାର କଡା ଜବାବ ଦେଇଛି ଭାରତୀୟ ସେନା। ସେନା ଗୁଳିରେ ୫ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବା ସୂଚନା ଦିଆଯାଇଛି।  ପାକିସ୍ତାନ ପଟୁ ମାଙ୍କୋଟ ସେକ୍ଟରରେ ଗୁରୁବାର ରାତିରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା। ଏଥିରେ ଭାରତର ସାଧାରଣ ନାଗରିକଙ୍କ ଅନେକ କ୍ଷୟକ୍ଷତି ଘଟିଥିଲା।

ତେବେ ଏହାର ଜବାବ ଦେବାକୁ ଯାଇ ଭାରତ ପକ୍ଷରୁ ଯବାନମାନେ ମଧ୍ୟ ଫାୟାରିଂ କରିଥିଲେ। ଏଥିରେ ୫ ଜଣ ପାକିସ୍ତାନୀ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଏହାସହ ପାକିସ୍ତାନର ଅନେକ ବଙ୍କର ମଧ୍ୟ ଧ୍ବଂସ ପାଇଛି।

ସୂଚନା ଅନୁସାରେ, ଗତ ଦୁଇଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ତେବେ ୧୯୯୯ ମସିହା ପରଠାରୁ ୨ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିକୁ ନ ମାନିବା ସହ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ୨୦୨୦ ଜାନୁଆରୀ ମାସରୁ ଏବେ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ପାକିସ୍ତାନର ଏହି ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତର ୩୦ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି।