ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ବଢିଚାଲିଥିବାରୁ ଏହା ଉପରେ ରୋକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଅଧ୍ୟାଦେଶ ଜାରି କରାଯାଇ ପ୍ରଦୁଷଣ ସୃଷ୍ଟି କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଏବଂ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମନାର ବ୍ୟବସ୍ଥା କରାଯାଇଛି। ବୁଧବାର ରାତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ଏହି ଅଧ୍ୟାଦେଶ ଜାରି ହୋଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଦିଲ୍ଲୀ-ଏନସିଆର ଅଞ୍ଚଳ ସମେତ ଉତ୍ତରପ୍ରଦେଶ, ହରିୟାଣା ଓ ପଞ୍ଜାବରେ ଚାଷୀମାନେ ଫସଲ ଅମଳ ପରେ ବିଲରେ ରହିଯାଉଥିବା ନଡା ପୋଡୁଥିବାରୁ ବ୍ୟାପକ ବାୟୁପ୍ରଦୂଷଣ ସୃଷ୍ଟି ହେଉଛି।