ଏନ୍ଏଚ୍ ବିକାଶରେ ଓଡ଼ିଶା ମଡେଲ୍କୁ କେନ୍ଦ୍ରୀୟ ସଚିବଙ୍କ ପ୍ରଶଂସା: ଅର୍ଥନୈତିକ କରିଡର ଉପରେ ମୁଖ୍ୟ ସଚିବଙ୍କ ଗୁରୁତ୍ୱ
ଭୁବନେଶ୍ୱର,ଏନ୍ଏନ୍ଏସ୍: ଜାତୀୟ ରାଜପଥ (ଏନ୍ଏଚ୍) ବିକାଶରେ ଓଡ଼ିଶା ହେଉଛି ମଡେଲ୍। ଏନ୍ଏଚ୍ ପ୍ରକଳ୍ପ ଉପରେ ଆୟୋଜିତ ଯୁୁଗ୍ମ ସମୀକ୍ଷା ବୈଠକରେ କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରାଳୟ ସଚିବ ଗିରିଧର ଅରାମାନେ ଏହା କହିଛନ୍ତି। ଲୋକସେବା ଭବନରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମିଳିତ ସମୀକ୍ଷା ବୈଠକରେ ଏନ୍ଏଚ୍ ଉନ୍ନତି ପାଇଁ ଓଡ଼ିଶାର ମଡେଲ୍ ବେଶ୍ ଭଲ କହି ଶ୍ରୀ ଅରାମାନେ ପ୍ରଶଂସା କରିଥିଲେ।
ଏହାଛଡ଼ା ସଡ଼କ ଆଲାଇନ୍ମେଣ୍ଟ, ପ୍ରତ୍ୟେକ ପ୍ରକଳ୍ପର ଅଗ୍ରଗତି, କ୍ଷେତ୍ରସ୍ତରରେ ରହିଥିବା ସମସ୍ୟାର ସମାଧାନ ଆଦି କ୍ଷେତ୍ରରେ ମୁଖ୍ୟ ସଚିବ ଏବଂ ଅତିରିକ୍ତ ମୁଖ୍ୟ ସଚିବସ୍ତରର ଅଫିସରଙ୍କ ଠାରୁ ଆରମ୍ଭ କରି ଡିଏଫ୍ଓ ଏବଂ ନିର୍ବାହୀ ଯନ୍ତ୍ରୀମାନେ ବେଶ୍ ଭଲ ଭାବେ ଅବଗତ। ଏଭଳି ପଦକ୍ଷେପ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେଉଛି ବୋଲି କହି ଜିଲ୍ଲାପାଳ ଏବଂ ଡିଏଫ୍ଓଙ୍କ ସହ ନିୟମିତ ଯୋଗାଯୋଗରେ ରହିବାକୁ ସେ କ୍ଷେତ୍ରସ୍ତରୀୟ ଏନ୍ଏଚ୍ଏଆଇ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ବିଭିନ୍ନ ଏନ୍ଏଚ୍ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କରାଯାଇଥିଲା। ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ପ୍ରତ୍ୟେକ ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ କାମ ପାଇଁ ସମୟସୀମା ଧାର୍ଯ୍ୟ କରିଥିଲେ। ସମସ୍ୟାଗୁଡ଼ିକର ସମାଧାନ ଲାଗି ସକ୍ରିୟ ଭାବେ କାମ କରିବା ସହ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବାକୁ ଡିଏଫ୍ଓ ଓ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟ ସଚିବ ପାରାଦୀପ-ବଡ଼ବିଲ୍ ଅର୍ଥର୍ନୈତିକ କରିଡର ବିକାଶର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଜମି ଅଧିଗ୍ରହଣ ଆରମ୍ଭ କରିବାକୁ ଏନ୍ଏଚ୍ଏଆଇକୁ ପରାମର୍ଶ ଦେବା ସହ ରାଜ୍ୟ ସରକାର ଏ ଦିଗରେ ସମସ୍ତ ସହାୟତା ପ୍ରଦାନ କରିବେ ବୋଲି ମୁଖ୍ୟ ସଚିବ କହିଥିଲେ। ଏହି ଅବସରରେ ଏନ୍ଏଚ୍ଏଆଇ ଏବଂ ରାଜ୍ୟ ମିଳିତ ଭାବେ ଆରଓଡବ୍ଲ୍ୟୁ ବିକଶିତ କରିବା ନେଇ ନିଷତ୍ତି ହୋଇଥିଲା।
ଓଡ଼ିଶାରେ ଏନ୍ଏଚ୍ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ଏନ୍ଏଚ୍ଏଆଇ ଅତିରିକ୍ତ ମହାନିର୍ଦ୍ଦେଶକ ଧର୍ମେନ୍ଦ୍ର ଷଡ଼ଙ୍ଗୀ କହିଥିଲେ, ଯେ ୩ଠ ଜିଲ୍ଲାରେ ୫୭୫୩ କିମି ବ୍ୟାପୀ ୩୮ଟି ଏନ୍ଏଚ୍ ରହିଛି। ଏଥିରୁ ୨୯୨ଠ କିମି ଦୈର୍ଘ୍ୟର ୧୯ଟି ସଡ଼କ ଏନ୍ଏଚ୍ଏଆଇ ଦ୍ୱାରା ପରିଚାଳିତ ହେଉଥିବାବେଳେ ୨୮୩୩ କିମିର ଅନ୍ୟ ୧୯ଟି ସଡ଼କ ରାଜ୍ୟର ପୂର୍ତ୍ତ ବିଭାଗ ତଦାରଖ କରୁଛି। ସମୀକ୍ଷାରୁ ଜଣାପଡ଼ିଛି ଯେ ପ୍ରାୟ ୨୪୩ କିମିର ୬ ଲେନ୍ ବିଶିଷ୍ଟ ହୋଇଥିବାବେଳେ ୧୪୮୬ କିମି ୪ ଲେନ୍, ୧୯୩୪ କିମି ୨ ଲେନ୍ ସହ ପେଭ୍ଡ୍ ସୋଲ୍ଡର, ୧୨୫୭ କିମି ୨ ଲେନ୍, ୮୩୪ କିମି ସିଙ୍ଗଲ ଓ ଇଣ୍ଟରମିଡିଏଟ୍ ଲେନ୍ ଭାବେ ବିକଶିତ ହୋଇଛି। ଏହାବାଦ୍ ପ୍ରାୟ ୯ଠ୧ କିମି ସଡ଼କର ଉନ୍ନତି ପାଇଁ ୧୫ଠ୧୫ କୋଟିର ୨ଠଟି ପ୍ରକଳ୍ପ ଏନ୍ଏଚ୍ଏଆଇ ହାତକୁ ନେଇଛି। ସେହିପରି ୧୧୪୬ କିମି ସଡ଼କର ବିକାଶ ପାଇଁ ୩ଠ୮୮ କୋଟିର ୩୧ଟି ପ୍ରକଳ୍ପ ରାଜ୍ୟ ପୂର୍ତ୍ତ ବିଭାଗ ନେଇଛି।
ପୂର୍ତ୍ତ ସଚିବ କ୍ରିଷନ୍ କୁମାର କହିଥିଲେ, ଏନ୍ଏଚ୍-୨ଠର ପାଣିକୋଇଲି-ରିମୁଳି ସେକ୍ସନ୍ କାମ ତ୍ୱରିତ ହୋଇଛି। ଗତ ଜାନୁଆରୀ ପ୍ରଥମ ସପ୍ତାହରୁ ବେଲବାହାଳି ବ୍ରିଜ୍ର ଗୋଟିଏ ପାଶ୍ୱର୍ ଖୋଲି ଦିଆଯାଇଛି। ତେବେ ଚଳିତ ଜୁନ୍ ସୁଦ୍ଧା ଏହି ପ୍ରକଳ୍ପକୁ ଶେଷ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏନ୍ଏଚ୍-୫୨ଠର ରିମୁଳି-କୋଇଡା ସେକ୍ସନ କାର୍ଯ୍ୟ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଚଳିତ ମାର୍ଚ୍ଚ ସୁଦ୍ଧା ଏହି ରାସ୍ତାର କମର୍ସିଆଲ୍ ଅପରେସନ୍ ଆରମ୍ଭ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ପରିପ୍ରେକ୍ଷୀରେ ପ୍ରସ୍ତାବିତ ପାରାଦୀପ-ବଡ଼ବିଲ୍ ଅର୍ଥନୈତିକ କରିଡ଼ରର ଶିଳ୍ପାୟନ ଓ ବ୍ୟାବସାୟିକ ସମ୍ଭାବନା ଉପରେ ପୂର୍ତ୍ତ ସଚିବ ଆଲୋକପାତ କରିଥିଲେ। ଏହି ବୈଠକରେ ଏନ୍ଏଚ୍ଏଆଇ ସଦସ୍ୟ ମହାବୀର ସିଂହ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ପରିବହନ କମିଶନର ଅରୁଣ ବୋଥ୍ରା, ଏନ୍ଏଚ୍ଏଆଇ ସିଜିଏମ୍ ଡ. ରାମ ପ୍ରସାଦ ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ।