ଅଫଲାଇନରେ ହେବ ସିବିଏସଇ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଂକ୍ରମଣ ଯୋଗୁଁ ସିବିଏସଇ ବୋର୍ଡ ପରୀକ୍ଷାକୁ ନେଇ କଳ୍ପନା ଜଳ୍ପନା ଦେଖାଦେଇଥିବା ବେଳେ ଏହି ପରୀକ୍ଷା ଅଫଲାଇନରେ ହେବ ବୋଲି ସୂଚନା ମିଳିଛି। ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଅଫଲାଇନରେ କରାଯିବ ବୋଲି ସିବିଏସଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ପରୀକ୍ଷା ସମୟରେ ସମସ୍ତ କୋଭିଡ ଗାଇଡ଼ଲାଇନ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଏଥିସହ ଅନଲାଇନ ବୋର୍ଡ ପରୀକ୍ଷା ପ୍ରସ୍ତାବକୁ ଖଣ୍ଡନ କରାଯାଇଛି।

ଏବେବି ଅନେକ ସ୍ଥାନରେ ଅନଲାଇନରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବା ପାଇଁ ପର୍ଯ୍ୟାପ୍ତ ସୁବିଧା ନାହିଁ। ତେଣୁ ଅନଲାଇନରେ ପରୀକ୍ଷା ହେଲେ କିଛି ଛାତ୍ରଛାତ୍ରୀଙ୍କ ପାଇଁ ଏହା ଯଥାର୍ଥ ହେବନାହିଁ। ଅନ୍ୟପଟେ କରୋନା ସଂକ୍ରମଣ ଯୋଗୁଁ କିଛି ରାଜ୍ୟ ପକ୍ଷରୁ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ଆବେଦନ ହୋଇଥିବାବେଳେ ସିବିଏସଇ ପକ୍ଷରୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନାହିଁ ବୋଲି ସେ ସୂଚନା ଦେଇଛନ୍ତି।