ନୂଆଦିଲ୍ଲୀ: ସିବିଆଇ ୬୦ ବର୍ଷ ପୂର୍ତ୍ତି ଅବସରରେ ଡାଇମଣ୍ଡ ଜୁବଲୀ ପାଳନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମାରୋହର ଉଦଘାଟନ କରିଛନ୍ତି । ଏହି ଅବସରରେ ସିବିଆଇ ସହ ଜଡ଼ିତ ସୁପ୍ରିମକୋର୍ଟ ମାମଲାର ସଂଗ୍ରହ ମଧ୍ୟ ଜାରି କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଦେଶର ପ୍ରିମିୟମ ଇନଭେଷ୍ଟିଗେସନ ଏଜେନ୍ସି ରୂପରେ ସିବିଆଇ ନିଜର ୬୦ ବର୍ଷର ଯାତ୍ରା ପୂରଣ କରିଛି । ଏହା ନିଶ୍ଚିତ ରୂପେ ସିବିଆଇର ବିଗତ ବର୍ଷର ଯାତ୍ରାକୁ ଦର୍ଶାଉଛି ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ସିବିଆଇ ନିଜ କାମ ଓ କୁଶଳତା ବଳରେ ସାଧାରଣ ଜନତାଙ୍କୁ ବିଶ୍ୱାସ ପ୍ରଦାନ କରିଛି । ଆଜି ବି ଯଦି କେହି ଅନୁଭବ କରନ୍ତି କୌଣସି ମାମଲାର ସମାଧାନ ବାହାରିବା କଷ୍ଟ ତେବେ ସେ ସିବିଆଇ ଯାଞ୍ଚ ଦାବୀ କରନ୍ତି । ସିବିଆଇକୁ ମାମଲା ଦେବା ପାଇଁ ଲୋକ ଆନ୍ଦୋଳନ ମଧ୍ୟ କରନ୍ତି । ନ୍ୟାୟର ବ୍ରାଣ୍ଡ ରୂପେ ସିବିଆଇ ସମସ୍ତଙ୍କ ମୁହଁରେ ରହିଛି ।