ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ଅଧିନିୟମ-୧୯୮୭ର ସଂଶୋଧିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏଣିକି ଅଧିବକ୍ତା କଲ୍ୟାଣ ପାଣ୍ଠିର ସଦସ୍ୟମାନେ ମୃତ୍ୟୁ, ଅବସର, ସ୍ଥାୟୀ ଶାରୀରିକ ବା ମାନସିକ ଅକ୍ଷମତା କାରଣରୁ ସ୍ୱେଚ୍ଛାକୃତ ସେବା ନିବୃତ୍ତି ହେଲେ ସଂପ୍ରତି ପାଉଥିବା ଆର୍ଥିକ ସୁବିଧା ଠାରୁ ଅଧିକ ପାଇବେ। ହେଲେ ଟ୍ରଷ୍ଟ କମିଟିର ସୁପାରିସ ଜରୁରୀ।
ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷରେ ଏହି ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରପାଠୀ। ଶ୍ରୀ ତ୍ରିପାଠୀ କହିଥିଲେ, କ୍ୟାବନେଟ ବୈଠକରେ ଏହିଭଳି ୬ଟି ସଂଶୋଧିତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ରାଜ୍ୟ ସରକାର ଓଡ଼ିଶା ଭୂତାତ୍ତ୍ୱିକ ସେବା ପାଇଁ କ୍ୟାଡର ନିୟମ (ନିଯୁକ୍ତି ନିୟମ ଓ ସେବା ସତ୍ତାବଳୀ)-୨୦୨୦ ପ୍ରକାଶ ପାଇଛି। ଏଥିରେ ୨୦୧୮ ଜୁନରେ କ୍ୟାଡର ପୁନର୍ଗଠନରେ ହୋଇଥିବା ପରିବର୍ତ୍ତନଗୁଡ଼ିକ ନୂଆ ନିୟମରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା କର୍ମଚାରୀମାନେ ଲାଭବାନ ହୋଇ ପାରିବେ।
ଓଡ଼ିଶା ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଏବଂ ଓଡ଼ିଶା ବହୁମୂଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସେବା ସଂଶୋଧନ ନିୟମ-୨୦୨୦କୁ ସ୍ୱୀକୃତି ମିଳିଛି। ଏହାଦ୍ୱାରା ଏଣିକି ଠିକାରେ ନିଯୁକ୍ତି ହେଉଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟମିତ ହେବାର ସୁଯୋଗ ମିଳିବ। ସେହିପରି ଓଡ଼ିଶା କାରଖାନା ଓ ବାଷ୍ପିତ୍ର ନିରୀକ୍ଷଣ ସେବା(ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ-୧୯୮୪ରେ ସଂଶୋଧିତ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏହାଦ୍ୱାରା ବିଭାଗର ସହକାରୀ ନିର୍ଦ୍ଦେଶକ ପାହ୍ୟାକୁ ଗ୍ରୁପ୍ ‘ବି’ରୁ ଗ୍ରୁପ ‘ଏ’କୁ ପଦୋନ୍ନତି ମିଳିବ। ଏହି ପଦବୀ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପୂରଣ ହେବ। ଅନ୍ୟପକ୍ଷରେ ଓଡ଼ିଶା ଆୟୁର୍ବେଦିକ ଔଷଧ ପ୍ରବର୍ତ୍ତନ ସେବା ନିୟମ-୨୦୨୦କୁ ବି କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି। ଫଳରେ ଓଡ଼ିଶା ଆୟୁର୍ବେଦ ଔଷଧ ପ୍ରବର୍ତ୍ତନ ସେବା କ୍ୟାଡରରେ ପୁନର୍ଗଠନ ହେବ ଏବଂ ବିଭିନ୍ନ ପଦବୀରେ ନିଯୁକ୍ତି ଓ ସେମାନଙ୍କର ନିୟନ୍ତ୍ରଣ ବ୍ୟବସ୍ଥା ସୁଚାରୁରୂପେ କରାଯାଇ ପାରିବ।