ଭୁବନେଶ୍ୱର,ଏନ୍ଏନ୍ଏସ୍: ସରପଞ୍ଚଙ୍କ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଏବଂ ଛୋଟ କର୍ମଚାରୀଙ୍କ ଠାରୁ ମୁଖ୍ୟଶାସନ ସଚିବ ଯାଏ ସମସ୍ତେ ସମ୍ପତ୍ତି ତାଲିକା ଦେବେ। ସୋମବାର ଲୋକସେବା ଭବନରେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକରେ ଏନେଇ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ୧୨ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ପରେ ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ, ରାଜ୍ୟ ସରକାର ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଯୋଗାଇ ଦେବାରେ ପ୍ରତିଶ୍ରୁତି ବଦ୍ଧ। ଦୁର୍ନୀତି ହିଁ ବିକାଶର ବଡ଼ ଶତ୍ରୁ ବୋଲି ମୁଖ୍ୟମନ୍ତ୍ରୀ ବାରମ୍ବାର କହିଆସିଛନ୍ତି। ତେଣୁ ଦୁର୍ନୀତିକୁ ମୂଳୋତ୍ପାଟନ ନକଲେ ଲଢେଇ ମୂଲ୍ୟହୀନ। ଦୁର୍ନୀତିଖୋରଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାରେ ଓଡ଼ିଶା ଆଗରେ ରହିଛି। ଦୁର୍ନୀତି ବିରୋଧରେ ସାଲିସବିହୀନ ଲଢ଼େଇ କରି ଆମ ରାଜ୍ୟ ଦେଶରେ ସୁନାମ ଆଣିଛି। ସ୍ୱଚ୍ଛତା ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ସେଥିପାଇଁ ଆମ ସରକାର ଦୁର୍ନୀତି ବିରୋଧରେ ଲଢ଼ୁଛି ଏବଂ ସମ୍ପତ୍ତି ତାଲିକା ପ୍ରଦାନ କରିବା ବାଧ୍ୟତା ମୂଳକ କରିଛି।
ଶ୍ରୀ ପୂଜାରୀ କହିଥିଲେ, ସରପଞ୍ଚ, ବ୍ଲକ ଚେୟାରମ୍ୟାନ, ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି, ବିଧାୟକ, ମନ୍ତ୍ରୀ ଓ ସର୍ବୋପରି ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ନିଜର ସମ୍ପତ୍ତି ତାଲିକା (ପ୍ରପର୍ଟି ଷ୍ଟେଟମେଣ୍ଟ) ଦେବେ। ଜନସାଧାରଣଙ୍କ ସୂଚନା ନିମନ୍ତେ ‘ପବ୍ଲିକ ଡୋମେନ’ରେ ତାହା ରଖାଯିବ। ଅନ୍ୟପକ୍ଷରେ ସମସ୍ତ ସରକାରୀ କର୍ମଚାରୀ ପ୍ରତିବର୍ଷ ସମ୍ପତ୍ତି ତାଲିକା ମଧ୍ୟ ଦେବେ। ଛୋଟ କର୍ମଚାରୀରୁ ମୁଖ୍ୟ ଶାସନ ସଚିବ ଯାଏ ସମସ୍ତେ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ। ଏହି ସମ୍ପତ୍ତି ତାଲିକା ସର୍ବସାଧାରଣରେ ପ୍ରକାଶ କରାଯିବ। ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କର ସମ୍ପତ୍ତି ତାଲିକା ପ୍ରତି ବର୍ଷ ଲୋକାୟୁକ୍ତଙ୍କ ପାଖରେ ଦାଖଲ କରାଯିବ। ଦୁର୍ନୀତି ରୋକିବା ପାଇଁ ଏଭଳି କଡ଼ା ପଦକ୍ଷେପ ନେବାରେ ଓଡ଼ିଶା ସାରା ଭାରତରେ ପ୍ରଥମ ରାଜ୍ୟ ହେବ। ଅନ୍ୟ ରାଜ୍ୟମାନଙ୍କୁ ଏ ଦିଗରେ ବାଟ ଦେଖାଇବ। ସାଧାରଣ ଲୋକଙ୍କ ମୁହଁରେ ହସ ଓ ମନରେ ବିଶ୍ୱାସ ସୃଷ୍ଟି କରିବା ଗୋଟିଏ ସରକାରଙ୍କର ସବୁଠାରୁ ବଡ଼ ସମ୍ପତ୍ତି। ତାକୁ ବଜାୟ ରଖିବା ନିମନ୍ତେ ଆମ ସରକାର ନିଷ୍ଠାର ସହ କାର୍ଯ୍ୟ କରିଚାଲିଛନ୍ତି ବୋଲି ଶ୍ରୀ ପୂଜାରୀ ପ୍ରକାଶ କରିଥିଲେ।
ସୂଚନା ଯୋଗ୍ୟ, ଚଳିତମାସ ୨୧ରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପରିଷଦ ବୈଠକର ପ୍ରାରମ୍ଭରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କ ଠାରୁ ୨ଟି ଲେଖାଏଁ ପ୍ରସ୍ତାବ ଆହ୍ୱାନ କରିଥିଲେ। ସେହି ମତାମତ ଆଧାରରେ ମୁଖ୍ୟମନ୍ତ୍ରୀ ସ୍ୱଚ୍ଛ ଶାସନ ଉପରେ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସେ କହିଥିଲେ, ସାଲିସବିହୀନ ଲଢ଼େଇ ଆମେ କରୁଛୁ। ଏଥିଯୋଗୁଁ ଓଡ଼ିଶାର ସୁନାମ ସାରା ଦେଶରେ ରହିଛି। ସ୍ୱଚ୍ଛତା ଉପରେ ଓଡ଼ିଶା ସରକାରଙ୍କ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ଦୁର୍ନୀତି ମାମଲାର ବିଚାର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରି ଉଦାହରଣ ସୃଷ୍ଟି କରିଛନ୍ତି। ଅପରପକ୍ଷରେ ଦୁର୍ନୀତିଖୋରଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାରେ ଓଡ଼ିଶା ଆଗରେ ରହିଛି। ବର୍ଷକରେ ୯୧ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି। ସେମାନଙ୍କ ପେନସନ ବି ବନ୍ଦ ରଖିଛୁ।