ଟ୍ରକ୍‌କୁ ପଛପଟରୁ ଶକ୍ତ ଧକ୍କା ଦେଲା ବସ୍‌; ୪ ଜଣଙ୍କର ମୃତ୍ୟୁ, ୨୦ରୁ ଊର୍ଦ୍ଧ୍ୱ ଆହତ

ଜୟପୁର,ଏଜେନ୍ସି: ରାଜସ୍ଥାନର ଜୟପୁରରେ ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଓ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାର ସାମ୍ନା କରିଥିବା ୨୦ରୁ ଅଧିକ ବସ୍‌ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଆଗରେ ଚାଲୁଥିବା ଟ୍ରକ୍‌କୁ ପଛପଟରୁ ଯାଇ ଯାତ୍ରୀବାହୀ ବସ୍‌ ଧକ୍କା ଦେଇଥିଲା। ଏହା ବଡ଼ଧରଣର ଦୁର୍ଘଟଣା ଥିଲା। ବସ୍‌ରେ ବସିଥିବା ଯାତ୍ରୀମାନେ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେମାନଙ୍କର ଚିକିତ୍ସା ଜାରି ରହିଛି।

ଦୁର୍ଘଟଣା ପରେ ଜୟପୁର-ଆଗ୍ରା ଜାତୀୟ ରାଜପଥରେ ଯାନବାହନର ଭୀଡ ଦେଖିବାକୁ ମିଳିଛି। ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ବସ୍ତି, କାନୋତା ଏବଂ ତୁଙ୍ଗା ଥାନାର ପୋଲିସ ପହଞ୍ଚିଛି। ପୁଲିସ ଗାଁ ଲୋକଙ୍କର ସହାତୟାରେ ବସ୍‌ର କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ଘରୋଇ ଯାନବାହନରେ ନେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତଦେହ ଗୁଡ଼ିକ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। କୁହୁଡିଆ ପାଗ ଯୋଗୁଁ ଦୁର୍ଘଟଣା ଘଟିଥିବା କଥା କୁହାଯାଉଛି।