ପୁଞ୍ଜିଲାଲ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ ବମ୍ବେ ହାଇକୋର୍ଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ଚର୍ଚ୍ଚିତ ପାଟଣାଗଡ଼ ବୋମା ବିସ୍ପୋରଣ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ବଡ଼ ପରଦାକୁ ଆସିବା ପୂର୍ବରୁ ବମ୍ବେ ହାଇକୋର୍ଟ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଛନ୍ତି। ପୁଞ୍ଜିଲାଲଙ୍କ ପତ୍ନୀ ଦାୟର କରିଥିବା ମାମଲା ଉପରେ ଶୁଣାଣି କରି ବମ୍ବେ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି। ଏହି ଚଳଚ୍ଚିତ୍ରଟି ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ପରଦାକୁ ଆସିବାକୁ ଥିବା ହେତୁ ଏହାର ବିଚାର ଦାୟିତ୍ୱ ବମ୍ବେ ହାଇକୋର୍ଟ ଅଧୀନରେ ମଧ୍ୟ ଆସୁଛି। ସିନେମା ପ୍ରଯୋଜକ, ନିର୍ଦ୍ଦେଶକ ଓ ଅନ୍ୟମାନଙ୍କୁ ନିଜ ନିଜ ଜବାବ ଦାଖଲ କରିବା ପାଇଁ କୋର୍ଟ ନୋଟିସ ଦ୍ୱାରା ଜଣାଇଛି। ଆଗାମୀ ୨ ସପ୍ତାହ ମଧ୍ୟରେ କୋର୍ଟରେ ଜବାବ ଦାଖଲ କରିବାକୁ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ରହିଛି।

ସେହିଭଳି ବମ୍ବେ ହାଇକୋର୍ଟ ନିଜ ଶୁଣାଣିରେ କହିଛି ଯେ, ଯେ ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତଙ୍କ ଟ୍ରାଏଲ ଶେଷ ନହୋଇଛି, ସେପର୍ଯ୍ୟନ୍ତ ଫିଲ୍ମଟି ରିଲିଜ୍ ହୋଇ ପାରିବ ନାହିଁ। ଏହି ମାମଲାରେ ଶ୍ରୀଧର ମାର୍ଥା, ଅତୁଲ କୁଳକର୍ଣ୍ଣୀ, ମନୋଜ ମିଶ୍ର, ସୁନିତା କ୍ରିଷ୍ଣନନ୍ ଓ ଅରୁଣ ବୋଥ୍ରାଙ୍କୁ ବମ୍ବେ ହାଇକୋର୍ଟ ନୋଟିସ ଜାରି କରିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୮ ଫେବୃଆରୀ ୨୩ ତାରିଖରେ ପୁଞ୍ଜିଲାଲ ଗିଫ୍ଟ ପ୍ୟାକେଟରେ ବମ୍ ଖଞ୍ଜି ୨ଜଣଙ୍କୁ ହତ୍ୟା କରିଥିଲେ। ଏବେ ପୁଞ୍ଜିଲାଲ ଜେଲରେ ଅଛନ୍ତି।