୨୯ ତାରିଖ ସୁଦ୍ଧା ବ୍ରିଟେନରୁ ଫେରିଛନ୍ତି ୬୨, ମିଳିଛନ୍ତି ୫୮

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୯ ତାରିଖ ସୁଦ୍ଧା ବ୍ରିଟେନରୁ ଭୁବନେଶ୍ୱରକୁ ମୋଟ ୬୨ ଜଣ ଫେରିଛନ୍ତି। ବୁଧବାର ସନ୍ଧ୍ୟା ସୁଦ୍ଧା ସମ୍ପୃକ୍ତ ୬୨ ଜଣଙ୍କ ମଧ୍ୟରୁ ୫୮ ଜଣଙ୍କ ସହ ଯୋଗାଯୋଗ ହୋଇପାରିଛି। ସମ୍ପୃକ୍ତ ୫୮ ଜଣଙ୍କର ନମୁନା ସଂଗ୍ରହ ହୋଇଥିବାବେଳେ ସଂଶ୍ପର୍ଷରେ ଆସିଥିବା ଜନସାଧାରଣଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି। କିନ୍ତୁ ଏବେ ବି ଆଉ ୪ ଜଣଙ୍କ ଠିକଣା ମିଳୁନାହିଁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।

ତେବେ ଆଜକୁ ୪ ଦିନ ହେବ ସେମାନେ ଭୁବନେଶ୍ୱର ଫେରିଥିବାବେଳେ ଏଯାବତ୍ କାହିଁକି ସେମାନେ ନିଜ ଆଡ଼ୁ ବିଏମସିକୁ ଯୋଗାଯୋଗ କରିନାହାଁନ୍ତି ଓ କାହିଁକି ବିଏମସିଏହି ମାମଲାରେ ସମ୍ବେଦନଶୀଳ ହେଉନାହିଁ ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ରିଟେନରେ ଦେଖାଯାଉଥିବା ଷ୍ଟ୍ରେନ୍ ଭାରତରେ ମଧ୍ୟ ଚିହ୍ନଟ ହୋଇଥିବାବେଳେ ଏହାର ସଂକ୍ରମଣ ହାର ପୂର୍ବାପେକ୍ଷା ୭୦% ଅଧିକ ରହିଛି। ତେବେ ଓଡ଼ିଶା ତଥା ଭୁବନେଶ୍ୱରକୁ ବ୍ରିଟେନରୁ ଫେରିଥିବା ପ୍ରବାସୀଙ୍କୁ ଏଯାବତ୍ କାହିଁକି ଟ୍ରେସ୍ କରାଯାଇନାହିଁ ସେନେଇ ସାମାଜିକ ଗଣମାଧ୍ୟମରେ ବହୁ ଲୋକ ବିଏମସିକୁ ପ୍ରଶ୍ନ କରିଥିବା ନଜରକୁ ଆସିଛି।
ବିଏମସିଠାରୁ ମିଳିଥିବା ସୂଚନା ମୂତାବକ, ଗତ ୨୯ ତାରିଖରେ ବିଏମସି ନିକଟକୁ ଆସିଥିବା ଦ୍ୱିତୀୟ ପର୍ଯ୍ୟାୟ ଫେରନ୍ତାଙ୍କ ତାଲିକାରେ ମୋଟ ୮୮ ଜଣଙ୍କ ନାମ ଉଲ୍ଲେଖ ଥିଲା। କିନ୍ତୁ ଉକ୍ତ ତାଲିକାରେ ୯ ଜଣଙ୍କ ନାମ ଦୁଇ ଥର ଲେଖା ଉଲ୍ଲେଖ ରହିଥିବାବେଳେ ୧୭ ଜଣ ଅଣ ବିଏମ୍ସି ଅଞ୍ଚଳର ଓ ବାକି ୬୨ ଜଣ ଭୁବନେଶ୍ୱରର ଥିଲେ। ସେଥିମଧ୍ୟରୁ ବାକିଥିବା ୪ ଜଣଙ୍କୁ ୨୪ ଘଣ୍ଟା ମଧ୍ୟରେ ସମ୍ପର୍କ କରାଯିବାକୁ ପ୍ରୟାସ ଜାରି ରହିଛି।