ଆମେରିକାରେ ତୁଷାର ଝଡ, ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ୱାଶିଂଟନ,ଏଜେନ୍ସି: ଅଶାନ୍ତ ସମୁଦ୍ର । ଭୟଙ୍କର ବରଫ ଝଡ । ହଠାତ୍ ମାଇନସ ୪୫ ଡିଗ୍ରୀକୁ ଖସିଗଲା ତାପମାତ୍ରା ଆଉ ତା ପରେ ମୃତ୍ୟୁର ତାଣ୍ଡବ । ଆମେରିକାରେ ଜଳବାୟୁ ପରିବର୍ତ୍ତନ ନେଇ ହୀନସ୍ତା ଭୋଗିଛନ୍ତି ଆମେରିକାବାସୀ । ଏହି ତୁଷାର ଝଡରେ ସମସ୍ତ ୫୦ଟି ରାଜ୍ୟ ପ୍ରଭାବିତ ହୋଇଛି । ମୃତ୍ୟୁସଂଖ୍ୟା ବଢିବାକୁ ଲାଗିଛି । ବର୍ତ୍ତମାନ ସୁଦ୍ଧା ୩୪ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

କଲୋରାଡୋ, କାନସାସ, ଓକଲାହୋମା, ନେବ୍ରାକ୍ସା, ନ୍ୟୁୟର୍କ ଏବଂ ଓହିଓରେ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ଘଣ୍ଟାପ୍ରତି ୭୦ ବେଗରେ ବରଫ ଝଡ ହୋଇଛି । ଝଡ ସହ ବର୍ଷା ତାଣ୍ଡବ ରଚିଛି । ଲୋକମାନଙ୍କ ଜୀବନ ଦୁର୍ବିସହ କରି ଦେଇଛି ଏହି ଝଡ । ବୁଫାଲୋରେ ରାସ୍ତାଘାଟ ଓ ଘର ଉପରେ ପ୍ରାୟ ୬ ଫୁଟ ଉଚ୍ଚର ବରଫ ଜମା ହୋଇଛି । ଘରୁ ବାହାରିବା ଲୋକଙ୍କ ପାଇଁ ମୁସ୍କିଲ ହୋଇପଡିଛି । ଘରେ ରହିବାକୁ ଲୋକଙ୍କୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନାଅନୁସାରେ, ୨୦ କୋଟି ଲୋକ ଏହି ଝଡ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଏତେ ଭୟଙ୍କର ଥଣ୍ଡା ଯୋଗୁଁ କିଛି ସମୟ ଭିତରେ ଗରମ ପାଣି ମଧ୍ୟ ବରଫ ପାଲଟିଯାଉଛି । ଆମେରିକାରୁ କାନାଡର କ୍ୟୁବେକ ପର୍ଯ୍ୟନ୍ତ ପ୍ରାୟ ୩୨ ଶହ କିଲୋମିଟର ଯାଏଁ ବରଫ ଝଡ ତାଣ୍ଡବ ରଚିଛି । ଏଥିଯୋଗୁଁ ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଲକ୍ଷ ଲୋକଙ୍କର ଘର ବିଦ୍ୟୁତ ସଂଯୋଗରୁ ବିଚ୍ଛିନ୍ନ ହୋଇଛି । ସ୍ଥିତିକୁ ଦେଖି ୫.୯୩୪ ବିମାନ ବାତିଲ କରାଯାଇଛି । ରାସ୍ତାଘାଟ ବରଫରେ ଜମା ହୋଇଥିବା ବେଳେ କାର ଗୁଡିକ ମଧ୍ୟ ବରଫରେ ପୋତି ହୋଇଯାଉଛି । ଆମେରିକାର ବରଫ ଝଡ ସମସ୍ୟାକୁ ଦ୍ବିଗୁଣିତ କରିଛି ବମ୍ବ ସାଇକ୍ଲୋୱ । ଜୁଆର ପାଣି ରାସ୍ତାରେ ମାଡ ହେବା ଫଳରେ ବରଫ ହୋଇଯାଉଥିବା ସୂଚନା ରହିଛି ।

ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜୋ ବାଇଡେନ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବାଇଡେନ କହିଛନ୍ତି, “ଏହା ପିଲାଦିନର ସ୍ନୋ ଡେ ନୁହେଁ ବରଂ ଦେଶ ପ୍ରତି ବଡ ବିପଦ ।” ଲୋକମାନଙ୍କ ପାଇଁ ଆଶ୍ରୟସ୍ଥଳୀ ମଧ୍ୟ ଖୋଲା ଯାଇଛି । ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ରହିଛି । ଏହାର ପ୍ରଭାବରେ (ରବିବାର) ଖ୍ରୀଷ୍ଟମାସ ଫିକା ପଡିଥିଲା । ପ୍ରବଳ ପବନ ବରଫ ଭିତରେ ପ୍ରାୟ ୧୫ ଜଣ ଲୋକ ଚର୍ଚ୍ଚକୁ ଆସିଥିଲେ । ସ୍ଥିତି ଏପରି ଅଣାୟତ୍ତ ହୋଇଥିଲା ସେଠାରୁ ମୁକୁଳିବା ତାଙ୍କ ପାଇଁ ମୁସକିଲ ହୋଇଥିଲା । ପାଞ୍ଚ ପରିବାର ଗୋଟିଏ ପରେ ଗୋଟିଏ ସେଠାରୁ ଘରକୁ ଫେରିଥିଲେ । ଜଣେ ବ୍ୟକ୍ତି ଯିଏକି ତାଙ୍କ କାରରେ ୧୭ ଘଣ୍ଟା ରହିବା ପରେ ଘରକୁ ଫେରିଥିଲେ କାରଣ ବାହାରିବା କଷ୍ଟକର ହୋଇଥିଲା ।