ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

  • ବେଙ୍ଗାଲୁରୁ: ପୁଣି ଜଣେ ଲିଙ୍ଗାୟତ ସଂପ୍ରଦାୟର ବିଧାୟକଙ୍କୁ ବିଜେପି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କରିଛି। ବିଜେପି ବିଧାୟକ ଦଳ ବୈଠକରେ ବରିଷ୍ଠ ନେତା ବାସବରାଜ ବୋମାଇ (୬୧) ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି। ଆସନ୍ତାକାଲି ଅପରାହ୍ନ ୩.୨୦ରେ ନୂଆ ମୁଖ୍ୟମନ୍ତ୍ରୀଭାବେ ବୋମାଇ ପଦ ଓ ଗୋପନୀୟତାର ଶପଥ ନେବେ। ବିଧାୟକ ଦଳ ବୈଠକରେ କେନ୍ଦ୍ର ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ, ଅରୁଣ ସିଂହ ଓ ଜି କିଶନ ରେଡ୍ଡୀ ଉପସ୍ଥିତ ଥିଲେ। ବୋମାଇ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବେ ବୋଲି ଘୋଷଣା କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ୨୬ ତାରିଖରେ ବିଏସ୍ ୟେଦ୍ଦୁରପ୍ପା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଆଜି ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ସେଥିପାଇଁ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ବୈଠକରେ ୟେଦ୍ଦୁରପ୍ପା ପ୍ରଥମେ ବୋମାଇଙ୍କ ନାଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ରଖିଥିଲେ। ଏହାପରେ ସର୍ବସମ୍ମତିକ୍ରମେ ବୋମାଇଙ୍କ ନାଁ ଉପରେ ମୋହର ବାଜିଥିଲା।
    ବୋମାଇ ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବାରୁ ସେ ସରକାର ଗଠନ ପାଇଁ ରାଜ୍ୟପାଳ ଥାୱରଚନ୍ଦ ଗେହଲଟଙ୍କ ଆଗରେ ଦାବି ଉପସ୍ଥାପନ କରିବେ। ତାଙ୍କ ନାଁ ଘୋଷଣା ହେବା ପୂର୍ବରୁ ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନେ ପ୍ରାୟ ୧ ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକ କରିଥିଲେ।
    ୧୯୬୦ ଜାନୁଆରୀ ୨୮ରେ ଜନ୍ମଗ୍ରହଣ କରିଥିବା ବୋମାଇ ହେଉଛନ୍ତି ସଦାରା ଲିଙ୍ଗାୟତ ସମ୍ପ୍ରଦାୟର। ସେ ୟେଦ୍ଦୁରପ୍ପାଙ୍କ ଅତ୍ୟନ୍ତ ଘନିଷ୍ଠ ଓ ଜନତା ପରିବାରରୁ ଆସିଛନ୍ତି। ୟେଦ୍ଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳରେ ଗୃହ ଓ ଆଇନ ମନ୍ତ୍ରୀଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବାପା ଏସ୍ଆର ବୋମାଇ ମଧ୍ୟ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଭାବେ କାର୍ଯ୍ୟ କରିସାରିଛନ୍ତି।
    ୨୦୦୮ରେ ବିଜେପିରେ ଯୋଗଦେଇ ବୋମାଇ ଦଳ ପାଇଁ ଅନେକ କିଛି କରିଛନ୍ତି। ତାଙ୍କ ପରିଶ୍ରମକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଏକାଧିକ ପଦବୀରେ ମଧ୍ୟ ବସାଇଛି। ସେ ପୂର୍ବରୁ ଜଳସମ୍ପଦ ବିଭାଗର ମନ୍ତ୍ରୀଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ବୋମାଇ ଜଣେ ଇଞ୍ଜିନିୟର। ସେ ଟାଟା ଗ୍ରୁପ୍ରୁ ନିଜର ପ୍ରଫେସନାଲ କ୍ୟାରିୟର ଆରମ୍ଭ କରିଥିଲେ। ଦୁଇଥର ବିଧାନ ପରିଷଦକୁ ନିର୍ବାଚିତ ହୋଇଥିବା ବୋମାଇ ହାବେରି ଜିଲ୍ଲାର ଶିଗାଓଁ ନିର୍ବାଚନମଣ୍ଡଳୀରୁ ୩ ଥର ବିଧାନସଭାକୁ ଯାଇଛନ୍ତି।
    ସୂଚନାଯୋଗ୍ୟ, ୧୯୫୬ରୁ ଇତିମଧ୍ୟରେ କର୍ଣ୍ଣାଟକରେ ୨୦ ଜଣ ମୁଖ୍ୟମନ୍ତ୍ରୀ ହୋଇ ସାରିଲେଣି। ଏମାନଙ୍କ ମଧ୍ୟରୁ ୮ ଜଣ ମୁଖ୍ୟମନ୍ତ୍ରୀ ଲିଙ୍ଗାୟତ ସମ୍ପ୍ରଦାୟର। କର୍ଣ୍ଣାଟକର ୨୨୪ଟି ନିର୍ବାଚନମଣ୍ଡଳୀରୁ ୧୪୦ଟିରେ ଲିଙ୍ଗାୟତଙ୍କ ଉପସ୍ଥିତି ରହିଛି। ସେହିପରି ୯୦ଟି ଆସନରେ ଏହି ଲିଙ୍ଗାୟତ ସମ୍ପ୍ରଦାୟର ଲୋକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି। ରାଜ୍ୟର ମୋଟ ଜନସଂଖ୍ୟାରୁ ୧୭% ହେଉଛନ୍ତି ଲିଙ୍ଗାୟତ।